ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁଣେରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ନରେନ୍ଦ୍ର ପ୍ରସ୍ତାବିତ ହୋଇଥିବା ୩୨ କିମି ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି କାମ ସରିଛି ଫଳରେ ପ୍ରଥମ ପର୍ଯ୍ୟାୟରେ ଏହା ୧୨ କିମି ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ ହୋଇଛି । ଏହି ପ୍ରକଳ୍ପକୁ ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ନିଜେ ଟିକେଟ କିଣି ଗଡୱାଡେ କଲେଜରୁ ଆନନ୍ଦନଗର ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ଏମଆଇଟିରେ ରାଲିକୁ ସମ୍ବୋନ୍ଧିତ କରିଥିଲେ ।
On board the Pune Metro with my young friends. pic.twitter.com/QZi0AL0Uv2
— Narendra Modi (@narendramodi) March 6, 2022
ପ୍ରଧାନମନ୍ତ୍ରୀ ନିଜେ ଏହାର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପିଲାମାନଙ୍କ ସହ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଏହି ରେଳ ପ୍ରକଳ୍ପ ପାଇଁ ୨୦୧୬ ଡିସେମ୍ବର ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଭିତ୍ତିପ୍ରସ୍ତର ଉଦଘାଟନ କରିଥିଲେ । ପ୍ରକଳ୍ପ ପାଇଁ ସମୁଦାୟ ୧୧,୪୦୦ କୋଟିରୁ ଅଧିକ ବ୍ୟୟ ବରାଦ ରହିଛି । ପୁଣେ ମେଟ୍ରୋ ପକଳ୍ପ ଦେଶର ପ୍ରଥମ ପ୍ରୋଜେକ୍ଟ ଯେଉଁଥିରେ ଟ୍ରେନର କୋଚଗୁଡ଼ିକୁ ଆଲୁମିନିୟମରେ ତିଆରି କରାଯାଇଛି । ଏହା ସହ ପ୍ରଧାନମନ୍ତ୍ରୀ ପୁଣେରେ ମୁଲା-ମୁଠା ନଦୀର ନବୀକରଣ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦୀର୍ଘ ୯ କିମି ପାଇଁ ପ୍ରସ୍ତାବିତ ପ୍ରକଳ୍ପର ନବୀକରଣ ପାଇଁ ୧୦୮୦ କୋଟିର ବ୍ୟୟ ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ପୁଣେରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ୯.୫ ଫୁଟ୍ ଉଚ୍ଚ ପ୍ରତିମା ଉଦଘାଟନ କରିଛନ୍ତି ।