ଭୁବନେଶ୍ୱର: ଜଣେ ଅଟୋଚାଳକ ଦାଦାବଟି ନଦେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମପୁରର ସୁକାନ୍ତ ନାୟକ(୩୨) ଓ ପିଣ୍ଟୁ ନାୟକ(୩୦) । ଏମାନଙ୍କ ଠାରୁ ନଗଦ ୨୦୦ଟଙ୍କା ଜବତ ହୋଇଛି । ଏନେଇ ପୁଲିସ କେସ୍ ନଂ ୭୭/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ଅଟୋଚାଳକ ତାଙ୍କ ଅଟୋକୁ ଏୟାରପୋର୍ଟ କ୍ୟାଣ୍ଟିନ ସମ୍ମୁଖରେ ରଖିଥିଲେ । ଏହି ସମୟରେ ଅଭିଯୁକ୍ତଦ୍ୱୟ ସେଠାକୁ ଆସି ଦାଦାବଟି ମାଗିଥିଲେ । ଅଟୋଚାଳକ ଦାଦାବଟି ନଦେବାରୁ ସେମାନେ ଗାଳିଗୁଲଜ କରିଥିଲେ । ଏହାସହ ଅଟୋଚାଳକଙ୍କ ପକେଟ୍ରୁ ଜୋରଜବରଦସ୍ତ ୨୦୦ଟଙ୍କା ଛଡ଼ାଇନେବା ସହ ଏକ ଲାଠିରେ ପିଟିଥିଲେ । ଏଥିରେ ଅଟୋଚାଳକ ଆହତ ହୋଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ଚିକିତ୍ସିତ ହୋଇସାରି ଅଟୋ ଚାଳକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଭୀମପୁର ପ୍ରାଥମିକ ବିଦ୍ୟାଳୟ ପରିସରରୁ ଗିରଫ କରିଛି । ଅଭିଯୁକ୍ତ ସୁକାନ୍ତ ନାୟକ ଜଣେ ପେଶାଦାର ଅପରାଧୀ । ତାଙ୍କ ନାମରେ କ୍ୟାପିଟାଲ ଥାନାରେ ୨୦୦୫ମସିହାରୁ ୨୦୧୩ ମସିହା ମଧ୍ୟରେ ୧୪ଟି ମାମଲା, ଏୟାରଫିଲ୍ଡ ଥାନାରେ ୨୦୦୮ରୁ ୨୦୧୯ ମସିହା ମଧ୍ୟରେ ୬ଟି, ଏୟାରପୋର୍ଟ ଥାନାରେ ୨୦୧୯ରୁ ୨୦୨୦ ମସିହା ମଧ୍ୟରେ ୪ଟି ଏବଂ ନୟାପଲ୍ଲୀ ଥାନାରେ ୨୦୨୧ ମସିହାରେ ଗୋଟିଏ ଅପରାଧିକ ମାମଲା ରହିଛି । ୨୫ଟି ଅପରାଧିକ ମାମଲାରେ ଜଡ଼ିତ ଥିବାରୁ ତାଙ୍କୁ ୧୧୦ ସିଆର୍ପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନରେଟ୍ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷେ ଜନସାଧାରଣମାନେ ଦାଦା ବଟିର ଶିକାର ହେଲେ ସୂଚନା ପ୍ରଦାନ କରିବା ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପକ୍ଷରୁ “ଦାଦା ବଟି କୁ ନା” ଅଭିଯାନକ୍ରମେ ୯୯୩୮୯୧୦୦୦୦ ନମ୍ବର ଜାରି କରାଯାଇଛି । ଏହି ନମ୍ବରରେ ଫୋନ କିମ୍ବା ହ୍ୱାଟସ୍ଆପ କରି ଅଭିଯୋଗକାରୀମାନେ ନିଜ ଅଭିଯୋଗ ଜଣାଇବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।