ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି । ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିବାକୁ ରୁଷ ସେନା ପୂରା ଦମ୍ରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ ୟୁକ୍ରେନ୍ ବି ଅସ୍ତ୍ର ଛାଡ଼ିବାକୁ ମନା କରି ଦେଇଛି । ଫଳରେ ସେଠାରେ ସ୍ଥିତି ଖରାପ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ସୂଚନା ଅନୁଯାୟୀ, ସେଠାରେ ଭାରତୀୟ ଓ ୟୁକ୍ରେନ୍ର ଯୁବତୀଙ୍କୁ ବନ୍ଧୁକ ମୁନରେ କିଛି ଲୋକ ହଇରାଣ କରୁଥିବା ଖବର ସାମ୍ନାକୁ ଆସୁଛି । ୟୁକ୍ରେନ୍ ସରକାର ଏବେ ସାଧାରଣ ଲୋକଙ୍କୁ ବନ୍ଧୁକ ଯୋଗାଇ ଦେଇଥିବାରୁ ଏହାର ଫାଇଦା ଉଠାଇ କିଛି ଅସାମାଜିକ ଲୋକ ଝିଅଙ୍କୁ ହଇରାଣ କରୁଛନ୍ତି । ସେମାନେ ଖାସ୍ କରି ଦେଶ ଛାଡ଼ି ଚାଲିଯାଉଥିବା ଝିଅଙ୍କୁ ଅସଦାଚରଣ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ପଇସା ନେଇ ଯାଉଛନ୍ତି । କିନ୍ତୁ ଏବେ ଖବର ଆସିଛି ଯେ ଏଭଳି ଝିଅଙ୍କୁ ଏବେ ୟୁକ୍ରେନ୍ର ମହିଳାମାନେ ସୁରକ୍ଷା ଯୋଗାଉଛନ୍ତି । ୟୁକ୍ରେନ୍ ସରକାରଙ୍କ ପ୍ରଦତ୍ତ ବନ୍ଧୁକ ଧରି ୟୁକ୍ରେନ୍ର ମହିଳାମାନେ ଭାରତୀୟ ଓ ୟୁକ୍ରେନ୍ର ମହିଳାଙ୍କ ଧନ ଜୀବନ ଓ ଇଜ୍ଜତ ବଞ୍ଚାଉଥିବା ଦେଖିବାକୁ ମିଳିଛି । ଅସାମାଜିକ ଲୋକଙ୍କ ଟାର୍ଗେଟରେ ଏବେ ବସ୍ ଥିବାରୁ ମହିଳା ବନ୍ଧୁକଧାରୀ ବସ୍ରେ ରହି ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରୁଥିବା ନେଇ ୟୁକ୍ରେନ୍ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରୀ କହିଛନ୍ତି । ଏବେ ୟୁକ୍ରେନ୍ର ମହିଳାମାନେ ଦେବଦୂତ ଭଳି ସେଠାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।