ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଅଳକାପୁରୀ ୭ମ ଗଳିର ସୁରଜା ବେହେରାଙ୍କୁ ଗତ ୨୩ ତାରିଖରେ ଗଳାକାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଭଞ୍ଜନଗରରୁ କାବୁ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ଏକ ଆଲମିରା ଫ୍ୟାକ୍ଟ୍ରିରେ କାମ କରୁଥିଲା । ଟଙ୍କା ପାଇଁ ଅଭିଯୁକ୍ତ ଜଣଙ୍କ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଅଳକାପୁରୀରେ ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କ ଘରୁ ଲୁଟ ପାଇଁ ଆସିଥିବା ଅଭିଯୁକ୍ତ କିନ୍ତୁ ଘର ଭିତରୁ ଟଙ୍କା ଓ ସୁନାଗହଣା ଲୁଟି ନପାରି ସୁରଜାଙ୍କୁ କେବଳ ହତ୍ୟା କରିଥିବା ସୂଚନାମିଳିଛି । ଘର ଭିତରେ ଥିବା ମହିଳାଙ୍କ ସହ ଅଭିଯୁକ୍ତର କିଛି ସମୟ ଧସ୍ତାଧସ୍ତି ହୋଇଥିବା ପୁଲିସ କହିଛି । ନିଜେ ଧରାପଡ଼ିବା ଭୟରେ ଅଭିଯୁକ୍ତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଏକାଧିକ ସ୍ଥାନରେ ଭୁସି ଦେଇଥିଲେ । ଶେଷରେ ତାଙ୍କ ହାତର ନାଡ଼ିକୁ କାଟି ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ପୁଲିସ ସନ୍ଦେହ କରୁଛି । ଅନ୍ୟପକ୍ଷରେ ଘଟଣାରେ ବ୍ୟବହୃତ ରକ୍ତଭିଜା ମାରଣାସ୍ତ୍ରକୁ ପୁଲିସ ଜବତ କରିନଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରି ଘଟଣାର ତଦନ୍ତ କରୁଥିବା କହିଛି । ମୃତା ସୁରଜାଙ୍କ ମୋବାଇଲ ଲୋଚାପଡା ନିକଟସ୍ଥ ଏକ ନାଳକଡ଼ରୁ ପୁଲିସ ଜବତ କରିଛି । ଏହି ହତ୍ୟାକାଣ୍ଡର ପୁଲିସ ଖୁବ୍ଶୀଘ୍ର ଖୁଲାସା କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତ ୨୫ ତାରିଖରେ ମୃତ ସୁରଜାଙ୍କ ସ୍ୱାମୀ ସାନ୍ଧ୍ୟ ଭ୍ରମଣରେ ବାହାରକୁ ଯାଇଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ । କିନ୍ତୁ ସ୍ତ୍ରୀ ସୁରଜା ତାଙ୍କ ଫୋନ୍ ଉଠାଇ ନଥିଲେ । ସେ ଘରକୁ ଆସିବା ପରେ ତାଙ୍କୁ କେହି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ସଦର ଥାନା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ଏବଂ ଏସପି ପିନାକ୍ ମିଶ୍ର, ଏଏସପି ରମେଶ ଚନ୍ଦ୍ର ସେଠି, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଆଇଆଇସି ମହେନ୍ଦ୍ର କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।