ଭୁବନେଶ୍ୱର: ରସୁଲଗଡ଼ରୁ ଗିରଫ ହୋଇଥିବା ଜମତାରା ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରେ ଲୁଚିଛି । ଝାଡ଼ଖଣ୍ଡରେ ରହି ଓଡ଼ିଶାକୁ ସେ ଅପରେଟ୍ କରିଆସୁଥିଲା । ମୁମ୍ବାଇରୁ ସାଧାରଣଲୋକଙ୍କ ବ୍ୟାଙ୍କ ତଥ୍ୟ ସଂଗ୍ରହ କରି ଏମାନେ ଲକ୍ଷାଧିକ ଟଙ୍କା ଲୁଟି ଚାଲିଥିଲେ । ଜମ୍ତାରା ଗ୍ୟାଙ୍ଗ୍ର ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ଝାରଖଣ୍ଡରେ ରହିଛି । ତାଙ୍କ ବିଷୟରେ ଅଧିକ ଖୋଳତାଡ ଚାଲିଛି । ସେଠାରେ ଥାଇ ସେ ଓଡ଼ିଶାର ଏହି ଗ୍ୟାଙ୍ଗ୍କୁ ଅପରେଟ୍ କରୁଥିବା କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜିବ ପଣ୍ଡା କହିଛନ୍ତି । ଏମାନଙ୍କ ନାଁରେ ୭ଟି ରାଜ୍ୟରେ ୫୫ଟି ମାମଲା ଥିବା ଜଣାପଡ଼ିଛି ।
ଏଡ଼ିଜି କହିଛନ୍ତି, ଗିରଫ ୩ ସାଇବର ଠକଙ୍କୁ ଜେରା ବେଳେ ଅନେକ ଗୁରୁ୍ତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି । ସେମାନେ ଯେଉଁ ମୋବାଇଲର ସିମ୍କାର୍ଡ ବ୍ୟବହାର କରୁଥିଲେ, ସେ ମୋବାଇଲ ଆଇଏମ୍ଇଆଇ ସମ୍ପର୍କରେ ସବୁ ରାଜ୍ୟକୁ ସୂଚନା ଦିଆଯାଇଥିଲା । ଏହାପରେ ୭ଟି ରାଜ୍ୟରେ ଏମାନଙ୍କ ବିରୋଧରେ ମାମଲା ଥିବା ଜଣାପଡ଼ିଛି । ଏମାନଙ୍କ ବିରୋଧରେ ସର୍ବାଧିକ ୪୫ଟି ଠକେଇ ମାମଲା ତେଲେଙ୍ଗାନାରେ ରହିଛି । ଏହି ଗ୍ୟାଙ୍ଗ୍ ନାମପାଲିର ଜଣେ ବ୍ୟକ୍ତିଙ୍କଠୁ ୩ଲକ୍ଷ ୨୨ହଜାର ଟଙ୍କା ଠକି ନେଇଛନ୍ତି । ସେହିପରି ଉତ୍ତରପ୍ରଦେଶରେ ଦୁଇଟି କେସରେ ସମ୍ପୃକ୍ତ ଥିବାବେଳେ ଗୋରଖପୁରର ଖଜାନିରୁ ୩ଲକ୍ଷ ୮୬ହଜାର ଟଙ୍କା ସାଇବର ଠକେଇ ଅଭିଯୋଗ ରହିଛି । ଏଥିସହ କର୍ଣ୍ଣାଟକରୁ ଗୋଟିଏ, ଝାଡ଼ଖଣ୍ଡରୁ ଦୁଇଟି, ଦାଦ୍ରାନଗର ହାବେଳିରୁ ଗୋଟିଏ, ଉତ୍ତରାଖଣ୍ଡରେ ଦୁଇଟି ଓ ପଶ୍ଚିମବଙ୍ଗରୁ ଗୋଟିଏ କେସ୍ରେ ଏହି ଗ୍ୟାଙ୍ଗ୍ର ସମ୍ପୃକ୍ତି ରହିଛି ।
ସାଧାରଣଲୋକଙ୍କ ବ୍ୟାଙ୍କ ତଥ୍ୟ ମୁମ୍ବାଇର ଜଣେ ବ୍ୟକ୍ତି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ପାଖକୁ ପଠାଉଥିଲା । ଏହି ବ୍ୟକ୍ତି ଜଣକ ମାସକୁ ୫ରୁ ୧୦ହଜାର ଟଙ୍କା ଲେଖାଏ ମାଷ୍ଟରମାଇଣ୍ଡ ଠାରୁ ତଥ୍ୟ ଦେବା ବାବଦରେ ନେଉଥିଲା । ସେହି ତଥ୍ୟକୁ ମାଷ୍ଟରମାଇଣ୍ଡ ଅନ୍ୟମାନଙ୍କ ପାଖକୁ ପଠାଉଥିଲା । ଏହାପରେ ବିଭିନ୍ନ ଉପାୟରେ ଲୁଟ୍ ପାଇଁ ଯୋଜନା କରୁଥିଲେ । ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ବିଷୟ ସମ୍ପର୍କରେ ପୁଲିସ ହାତରେ ସୁରାକ୍ ଲାଗିଛି । ତାଙ୍କୁ ଖୁବ୍ଶୀଘ୍ର ଗିରଫ କରିବାକୁ ଯୋଜନା ଚାଲିଛି । ଏଥିପାଇଁ ଏକ ଟିମ୍ ଖୁବ୍ ଶୀଘ୍ର ମୁମ୍ବାଇ ଯିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ସାଇବର ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ଏଡ଼ିଜି ଲୋକଙ୍କୁ ସଚେତନ କରାଇଛନ୍ତି । ଅଜଣା ନମ୍ବରରୁ ଆସିଥିବା କଲ୍ ଓ ମେସେଜ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି, କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍ କରି ତଥ୍ୟ ମାଗିଲେ ସତର୍କ ରୁହନ୍ତୁ । କେୱାଇସି ଅପଡେଟ୍ ବା ଓଟିପି ନମ୍ବର ଆଦୌ କାହାରି ସହିତ ସେୟାର କରନ୍ତୁ ନାହିଁ । ଆସୁଥିବା ଅଜଣା କଲ୍ ଜାତୀୟ ସାଇବର ଅପରାଧ ପୋର୍ଟାଲରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରସୁଲଗଡ଼ ଅଞ୍ଚଳରେ ରହି ସାରାଦେଶରୁ ଠକେଇ କରୁଥିବା ଏହି ଜମ୍ତାରା ଗ୍ୟାଙ୍ଗ୍ର ୩ଜଣ ସଦସ୍ୟଙ୍କୁ ରାଜ୍ୟ କ୍ରାଇମବ୍ରାଞ୍ଚ ୨୯ତାରିଖରେ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଜିଲା ଗିରିଡିହି ଜିଲାର ପ୍ରଧୁମ କୁମାର ମଣ୍ଡଲ(୨୦), କ୍ରିଷ୍ଣାକୁମାର ମଣ୍ଡଲ(୧୯) ଓ ଧନବାଦ ଜିଲାର ଚେତଲାଲ୍ ମଣ୍ଡଲ(୨୮) । ଏମାନଙ୍କ ଠାରୁ ୧୧ଟି ମୋବାଇଲ, ୨ଟି ଲାପଟପ, ଗୋଟିଏ ଟ୍ୟାବ୍ ମିଳିଛି । ଏଥିସହ ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡର ପଞ୍ଜିକୃତ ୩୩ଟି ସିମ୍ ମଧ୍ୟ ଜବତ କରାଯାଇଛି । ଏମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ୭ଦିନିଆ ରିମାଣ୍ଡ ଆବେଦନ ହୋଇଥିବାବେଳେ କୋର୍ଟ ୪ଦିନ ପାଇଁ ଅନୁମତି ଦେଇଥିଲେ । ଗତ ୩୧ ତାରିଖରୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିବାବେଳେ ଗୁରୁବାର ସେମାନଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି ।