ଭଦ୍ରକ : ଧାମନଗର ଥାନା ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ହାତିଡ଼ିହ ନିକଟସ୍ଥ ଏକ ଘଞ୍ଚବଣରୁ ଆଜି ଖପୁରି ସହ କିଛି ହାଡ଼ ଦେଖିବାକୁ ମିଳିଥିଲା । ଯାହାକୁ ସନ୍ଦେହକରି ଆନନ୍ଦପୁର ପଞ୍ଚାୟତ ଚମ୍ପାବାଘ ଗ୍ରାମର ପଦ୍ମନାଭ ନାୟକଙ୍କ ପୁଅ ଖଗେଶ୍ୱର ନାୟକ(୧୯)ଙ୍କ ଶବ ବୋଲି ଅନୁମାନ କରାଯାଇଛି । ପ୍ରକାଶଥାଉ କି ୨୦୨୧ ନଭେମ୍ବର ୨ତାରିଖରେ ଖଗେଶ୍ୱର ଏକ ସ୍ମାର୍ଟଫୋନ୍ରେ ଅନ୍ଲାଇନ୍ରେ ଫ୍ରିଫାୟାର ଓ ଆକାଲୁଡ଼ୁ ଗେମ୍ଖେଳି ତାଙ୍କ ବାପାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଠାଇ ନେଇଯାଇଥିଲେ ।
ଏ ନେଇ ବାପା ଗାଳିଦେବା ଭୟରେ ଖଗେଶ୍ୱର ଗତ ୨୦୨୧ ଡିସେମ୍ବର ୧୮ ତାରିଖରୁ ଘରଛାଡ଼ି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏ ନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ବାପା ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ କେତେକ ଯୁବକ ସରସ୍ୱତୀ ପୂଜା ପାଇଁ ବାଉଁଶ ଆଣିବାକୁ ସେହି ବଣକୁ ଯାଇଥିବାବେଳେ ସେଠାରେ ଏକ ଗଛରେ ଶରୀର ବିହୀନ ଗଳିତ ଖପୁରି ଝୁଲୁଥିବାର ଦେଖିଥିଲେ । ଦୀର୍ଘଦିନ ବିତିଯାଇଥିବାରୁ ଶବର କିଛି ଚିହ୍ନବର୍ଣ୍ଣ ମିଳୁନାହିଁ । ଏ ନେଇ ବାଲେଶ୍ୱରରୁ ଗୁରୁବାର ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଗଳିତ ଖପୁରିକୁ ଫରେନ୍ସିକ୍ ଲାବୋରେଟେରିକୁ ପଠାଯାଇଥିବା ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ସୂଚନା ଦେଇଛନ୍ତି ।