ନୂଆଦିଲ୍ଲୀ: ଉଜବେକିସ୍ତାନର ଏକ ପ୍ରାଣୀ ଉଦ୍ୟାନରେ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳୁଛି । ଏଠାରେ ଜଣେ ମା’ ନିଜର ୩ ବର୍ଷର ଝିଅକୁ ଭାଲୁ ରହୁଥିବା ବାଉଣ୍ଡରି ଭିତରକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଉଜବେକିସ୍ତାନର ରାଜଧାନୀ ତାସକନ୍ଦରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମା’ ନିଜର ତିନି ବର୍ଷର ଝିଅକୁ ଏକ ପ୍ରାଣୀ ଉଦ୍ୟାନର ଭାଲୁ ଏନକ୍ଲୋଜରରେ ଫିଙ୍ଗି ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମା’ ଭାଲୁ ଏନକ୍ଲୋଜରରେ ଶିଶୁକୁ ଫିଙ୍ଗି ଦେବା ପରେ ଜୁଜୁ ନାମକ ଭାଲୁ ପାଖକୁ ଯାଇ ଶୁଙ୍ଘି ଥିଲା । ସୌଭାଗ୍ୟବଶତଃ ଭାଲୁ ଜୁଜୁ ଶିଶୁକୁ କିଛି ନକରି ପିଞ୍ଜରା ଭିତରେ ପଶି ଯାଇଥିଲା । ଫଳରେ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ଯଥାଶୀଘ୍ର ଶିଶୁକୁ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ । ଏହି ଘଟଣାପରେ ଶିଶୁ ଆହତ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାଆକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତେବେ ମା’ ଶିଶୁକୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ନେଇ ଏକ ଅପରାଧିକ ମାମଲା ରୁଜୁ ହୋଇପାରେ । ଯଦି ମା’ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ଅତି କମରେ ୧୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।