ମେଲ୍ବର୍ଣ୍ଣ : ଷ୍ଟିଫାନୋସ୍ ସିଟ୍ସିପାସ୍ଙ୍କ ବିପକ୍ଷ ଶୁକ୍ରବାରର ସେମିଫାଇନାଲ୍ ମ୍ୟାଚ୍ରେ ଚେୟାର୍ ଅମ୍ପାୟାର୍ଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲିଷ୍ଟ ଦାନିଲ୍ ମେଡ୍ଭେଡେଭ୍ଙ୍କୁ ଟେନିସ୍ ଅଷ୍ଟ୍ରେଲିଆ ମୋଟ ୧୨ ହଜାର ଅଷ୍ଟ୍ରେଲୀୟ ଡଲାର ଜୋରିମାନା କରାଯାଇଛି । ଆପତ୍ତିଜନକ ଭାଷା ପ୍ରୟୋଗ ଏବଂ ଅଣଖେଳୁଆଡ଼ ବ୍ୟବହାର ପାଇଁ ଟେନିସ୍ ଅଷ୍ଟ୍ରେଲିଆ ବିଶ୍ୱର ଦୁଇ ନମ୍ବର ଖେଳାଳିଙ୍କୁ ଯଥାକ୍ରମେ ୮ ହଜାର ଓ ୪ ହଜାର ଡଲାର ଜୋରିମାନା କରିଛି ।
ଏଥିସହ ନିୟମ ବହିର୍ଭୂତ କୋଚିଂ ଅଭିଯୋଗରେ ସିଟ୍ସିପାସ୍ଙ୍କୁ ମଧ୍ୟ ୫ ହଜାର ଡଲାର୍ ଜୋରିମାନା କରାଯାଇଛି । ମ୍ୟାଚ୍ ଅବସରରେ ସିତ୍ସିପାସ୍ଙ୍କ ସହ ତାଙ୍କ ପିତା ଓ କୋଚ୍ ଆପୋଷ୍ଟୋଲସ୍ ସିତ୍ସିପାସ୍ ଲଗାତାର ଆଲୋଚନା କରୁଥିବା ମେଡ୍ଭେଡେଭ୍ ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଅମ୍ପାୟାର୍ଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ଯେ ମ୍ୟାଚ୍ର ପ୍ରତ୍ୟେକ ମୁହୂର୍ତ୍ତରେ ସିଟ୍ସିପାସ୍ଙ୍କ ସହ ତାଙ୍କ ପିତା ଓ କୋଚ୍ ଆଲୋଚନା କରିପାରିବେ କି? ଅମ୍ପାୟାର୍ ଏହାର କୌଣସି ଉତ୍ତର ନ ଦେବାରୁ ମେଡ୍ଭେଡେଭ୍ କ୍ରୋଧାନ୍ୱିତ ହୋଇ ଖୁବ୍ ଜୋର୍ରେ ଅମ୍ପାୟାର୍ଙ୍କୁ ଷ୍ଟୁପିଡ୍ ଓ ବ୍ୟାଡ୍ମ୍ୟାନ୍ ବୋଲି କହିଥିଲେ । ସେ ଅମ୍ପାୟାର୍ଙ୍କୁ କହିଥିଲେ ଯେ ଏହା ଛୋଟ ଟୁର୍ଣ୍ଣାମେଣ୍ଟ୍ ନୁହେଁ, ଗ୍ରାଣ୍ଡ୍ସ୍ଲାମ୍ । ଏହାର ଉତ୍ତର ନମିଳିବାରୁ ଶେଷରେ ସେ ଅମ୍ପାୟାର୍ଙ୍କୁ ‘ସ୍ମଲ୍ କ୍ୟାଟ୍’ ବୋଲି ଆକ୍ଷେପ ମଧ୍ୟ କରିଥିଲେ ।