ଭୁବନେଶ୍ୱର: ଜଣେ ଯୁବତୀଙ୍କ ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ମାରପିଟ୍ ଦେଖିବାକୁ ମିଳିଛି । ପ୍ରଥମ ପ୍ରେମିକର ଛୁରାମାଡ଼ରେ ଦ୍ୱିତୀୟ ପ୍ରେମିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏଥିସହ ଅଭିଯୁକ୍ତ ତଥା ପ୍ରଥମ ପ୍ରେମିକ ଡ଼ରିଯିବାରୁ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି । ତେଣୁ ପୁଲିସ ତାଙ୍କୁ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲରେ ଊର୍ତ୍ତି କରିଛି । ତେବେ ଜଣେ ପ୍ରେମିକାଙ୍କୁ ନେଇ ଦୁଇଜଣ ପ୍ରେମିକଙ୍କ ମଧ୍ୟରେ ଏଭଳି ମାରପିଟ୍ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ରହିଛି । ସେଠାରେ ବି.ଟେକ୍ ଶେଷବର୍ଷରେ ପୁରୀ ଜିଲ୍ଲାର ଜଣେ ଯୁବତୀ ପାଠ ପଢୁଛନ୍ତି । ତାଙ୍କୁ ସେହି କଲେଜରେ ପଢୁଥିବା ଜଗତସିଂପୁର ନାଉଗାଁର ଗୌରୀପ୍ରସାଦ ଲେଙ୍କା ନାମକ ଜଣେ ଯୁବକ ଦୁଇବର୍ଷ ହେବ ପ୍ରେମ କରୁଥିଲେ । ଇତିମଧ୍ୟରେ ପୁରୀ ଜିଲ୍ଲାର ପ୍ରିୟରଞ୍ଜନ ନାୟକ ନାମକ ଜଣେ ଛାତ୍ର ସମ୍ପୃକ୍ତ ଯୁବତୀଙ୍କୁ ମଧ୍ୟ ଭଲ ପାଇ ବସିଥିଲେ । ଏହି କଥାକୁ ନେଇ ପୂର୍ବରୁ ପ୍ରିୟରଞ୍ଜନ ଓ ଗୌରୀପ୍ରସାଦଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ପରବର୍ତ୍ତୀ ସମୟରେ ଗୌରୀପ୍ରସାଦ ତାଙ୍କ ପ୍ରେମିକାଙ୍କ ସହ ବ୍ରେକ୍ ଅପ୍ କରିଦେଇଥିଲେ । ଏଥିସହ ଗିଫ୍ଟ ଆକାରରେ ଦେଇଥିବା ମୋବାଇଲ ଫୋନଟିକୁ ପ୍ରେମିକାଙ୍କ ହାତରୁ ଛଡାଇ ଆଣି ଭାଙ୍ଗି ଦେଇଥିଲେ । ଏହି କଥାକୁ ନେଇ ଗୌରୀପ୍ରସାଦ ଏବଂ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ପରେ ଦ୍ୱିତୀୟ ପ୍ରେମିକ ତଥା ପ୍ରିୟରଞ୍ଜନ ଏହା ଜାଣିବାପରେ ଉକ୍ତ ମୋବାଇଲଟିକୁ ସଜାଡି ଦେଇଥିଲେ । ଯାହା ବାବଦରେ ସେ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମୋବାଇଲ ମରାମତି ବାବଦକୁ ହୋଇଥିବା ଖର୍ଚ୍ଚ ସେ ଗୌରୀପ୍ରସାଦଙ୍କୁ ମାଗିଥିଲେ । ଏହି ଟଙ୍କା ଦେବାକୁ ଗୌରୀପ୍ରସାଦ ଆଜିକାଲି କହି ଭଣ୍ଡାଇ ଚାଲୁଥିଲେ ।
ଶୁକ୍ରବାର ଅପରାହ୍ଣରେ ପ୍ରିୟରଞ୍ଜନ ମୋବାଇଲ ମରାମତି ବାବଦକୁ ୧୦ହଜାର ଟଙ୍କା ଦେବାକୁ ଗୌରୀପ୍ରସାଦଙ୍କୁ ଫୋନ କରି ମାଗିଥିଲେ। ସେ ତାଙ୍କୁ ମୋବାଇଲ ଟଙ୍କା ଦେବେ ବୋଲି କହି ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଦୁର୍ଗାମଣ୍ଡପ ନିକଟକୁ ଡାକିଥିଲେ । ଦୁର୍ଗାମଣ୍ଡପ ନିକଟରେ ପ୍ରିୟରଞ୍ଜନ ପହଞ୍ଚିଥିଲେ । ପରେ ଗୌରୀପ୍ରସାଦ ଓ ତାଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବଚସା ଆରମ୍ଭ ହୋଇଥିଲା । ପରେ ଦୁହେଁ ହାତାହାତି ହୋଇଥିଲେ । ଏଥିରେ ଗୌରୀପ୍ରସାଦ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ । ଏହାପରେ ସେ ତାଙ୍କ ଘରେ ଥିବା ଏକ ଛୁରି ଆଣି ପ୍ରିୟରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ଛୁରୀମାଡରେ ପ୍ରିୟରଞ୍ଜନଙ୍କ ହାତ ଓ ପିଠିରେ ଆଘାତ ଲାଗିଥିଲା । ସେଠାରେ ରହୁଥିବା ଗୌରୀପ୍ରସାଦଙ୍କ ଭିଣୋଇ ଏହା ଜାଣିବାପରେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପ୍ରିୟରଞ୍ଜନକୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ନେଇଥିଲେ ।
ଏସମ୍ପର୍କରେ ପୁଲିସ ଖବର ପାଇ ଗୌରୀପ୍ରସାଦ ଘରେ ପହଞ୍ଚିଥିଲେ । ସେଠାକୁ ଯାଇ ଦେଖିବାବେଳକୁ ସେ ଏକ ରୁମ୍ ଭିତରେ ରହି ଭିତରୁ କବାଟ ବନ୍ଦ କରିଦେଇଛନ୍ତି । ଏହାସହ ନିଜର ଦୁଇଗୋଡ଼କୁ ଗାମୁଛାରେ ବାନ୍ଧିଦେବା ସହ ବେକରେ ମୋବାଇଲ ଚାର୍ଜର ତାର ଗୁଡ଼ାଇ ଦେଇଥିଲେ । ପୁଲିସ କବାଟ ଭାଙ୍ଗି ତାକୁ କାବୁ କରିବାରୁ ସେ ଡ଼ରିଯାଇଥିଲେ । ତାଙ୍କ ଦେହରେ କିଛି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପ୍ରିୟରଞ୍ଜନ ଏଭଳି ଅବସ୍ଥାରେ ଏଠି ପକାଇଦେଇ ଚାଲିଯାଇଥିବା ସେ ପୁଲିସକୁ କହିଥିଲେ । ଏହାପରେ ପୁଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡ଼ିଛି । ଏ ନେଇ ଥାନାଧିକାରୀ ପ୍ରଦୀପ୍ତ ରାଉତ କହିଛନ୍ତି, ପ୍ରେମିକାର ମୋବାଇଲକୁ ନେଇ ଉଭୟ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଦ୍ୟାବଧି କୌଣସି ରିପୋର୍ଟ ଲେଖାଯାଇନାହିଁ । ମାତ୍ର ପଚରାଉଚରା କରାଯାଉଛି । ରିପୋର୍ଟ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।