ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଷ୍ଟୁଡିଓ ଛକ ନିକଟ ଏକ ବିଦେଶୀ ମଦଦୋକାନ ସମ୍ମୁଖ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଯୁବକ ଜଣକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଶବକୁ କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କିଛି ଲୋକ ଭରତପୁର ଷ୍ଟୁଡିଓ ଛକ ପାଖରେ ଥିବା ଜଙ୍ଗଲ ଭିତରକୁ ଯାଇଥିଲେ । ଯିବାବେଳେ ଏକ ଗଛରେ ଜଣେ ଯୁବକ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖି ଭରତପୁର ଥାନାକୁ ଖବର ଦେଇଥିଲେ । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୩୫/୪୦ ବର୍ଷ ଓ ଶ୍ୟାମଳ ବର୍ଣ୍ଣ ରଙ୍ଗ ।
ସେ ଏକ ନୀଳ ରଙ୍ଗର ଶୀତବସ୍ତ୍ର ପିନ୍ଧିଥିଲେ । ନିକଟରେ ଏକ ବ୍ୟାଗ୍ ମଧ୍ୟ ଥିଲା । ମୃତକ ପ୍ରାୟ ଦୁଇ ଦିନ ହେବ ଝୁଲନ୍ତା ଅବସ୍ଥାରେ ରହିଥିବା ପୁଲିସ ଅନୁମାନ କରିଛି । ଏଥିସହ ସେ ବାହାର ଲୋକ ଓ ଶ୍ରମିକ ଶ୍ରେଣୀର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେଣୁ କାମ କରିବା ପାଇଁ ବାହାରୁ ଆସିଥାଇପାରନ୍ତି ବୋଲି ସନ୍ଦେହ ହେଉଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ଡାକ୍ତରଖାନାକୁ ପଠାଇଛି । ପରିଚୟ ଜଣା ପଡିନଥିବାରୁ ମୃତ ଦେହକୁ ଶବ ସଂରକ୍ଷଣ କକ୍ଷରେ ରଖାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।