ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମରେ ଜନୈକା ୧୭ ବର୍ଷିୟା ନାବାଳିକା ସହ ମିଥ୍ୟା ପ୍ରେମ କରି ଉକ୍ତ ଗ୍ରାମରେ ରହୁଥିବା ନିକଟସ୍ଥ ଫୁଡକୁପରା ଗ୍ରାମର ଶରତ ବାଗ(୨୩) ନାମକ ପ୍ରତାରିତ ପ୍ରେମିକ ଫେରାର ମାରିବା ଘଟଣା ଚର୍ଚ୍ଚା ଜୋର ଧରିଛି । ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ମାମଲା ପାଟଣାଗଡ ଥାନାରେ ପହଞ୍ôଚଥିବା ବେଳେ ପ୍ରେମିକ ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ନିକଟସ୍ଥ ପୁଡକୁପରା ଗ୍ରାମର ଶରତ ବାଗ କେନ୍ଦୁମୁଣ୍ଡି ଗ୍ରାମରେ ଏକ ମୁଢି ଠେଲା କରି ବ୍ୟବସାୟ କରୁଥିଲା । କେନ୍ଦୁମୁଣ୍ଡିରେ ଏକ ଭଡାଘର ନେଇ ରହୁଥିବା ଶରତର ଉକ୍ତ ଗ୍ରାମର ଏକ ନାବାଳିକାଙ୍କ ସହ ଗତ ୩ ବର୍ଷ ତଳୁ ପ୍ରେମ ସଂପର୍କ ଗଢି ଉଠିଥିଲା ।
ତେବେ ପ୍ରେମିକାକୁ ସାଙ୍ଗରେ ନେଇ ସୁଦୂର ବାଙ୍ଗାଲୁରୁ ଯାଇ ଏକ ସୁନ୍ଦର ଜୀବନର ରଙ୍ଗୀନ ସ୍ୱପ୍ନ ଦେଖାଇ ଶରତ ଗତ ୨୩ ତାରିଖ ଦିନ ଅନାମିକାକୁ ନିଜ ଘରକୁ ଡାକିଥିଲା । ୨୪ ତାରିଖ ସକାଳେ ଫୁଡକୁପରାରୁ ଆସିବା ପରେ ବାଙ୍ଗାଲୁରୁ ବାହାରିବା ପ୍ରତିଶୃତି ଦେଇ ଶରତ ବାହାରିଗଲା ଘରୁ । ଅନ୍ୟପଟେ ପ୍ରେମିକର ଫେରିବା ବାଟକୁ ଚାହିଁ ଚାହିଁ ଦୀର୍ଘ ଦୁଇଦିନ କାଟିବା ପରେ ଗାଁ ଲୋକଙ୍କ ସାହାଯ୍ୟ ଭିକ୍ଷା କଲା ନାବାଳିକା ଜଣକ । ଗ୍ରାମବାସୀ ଫୁଡକୁପରା ଯାଇ ସମାଧାନର ଉଦ୍ୟମ କରିଥିଲେ ମଧ୍ୟ ସଫଳ ନ ହେବାରୁ ଗତକାଲି ବିଳମ୍ବିତ ରାତିରେ ନାବାଳିକା ସହ ପହଞ୍ଚଥିଲେ ପାଟଣାଗଡ ଥାନାରେ । ଏକ ଲିଖିତ ଏତଲା ପାଇବା ପରେ ପାଟଣାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି ।