41.1 C
Bhubaneswar
Tuesday, April 30, 2024
Homeଓଡିଶାଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନମିଳିଲେ ଆନ୍ଦୋଳନ ତୀବ୍ର ହେବ : ସୁରଥ ବିଶ୍ୱାଳ

ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନମିଳିଲେ ଆନ୍ଦୋଳନ ତୀବ୍ର ହେବ : ସୁରଥ ବିଶ୍ୱାଳ

 ଓଡିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ‘କେନ୍ଦ୍ର ସରକାର’ ନା ‘ନ୍ୟାୟାଳୟ’ କିଏ ମନା କରିଛନ୍ତି ?
 ଡାକ୍ତରୀ ଶିକ୍ଷା ପାଇଁ ଓଡିଶା ସରକାର ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କିଛି ନ ଜାଣିଲା ଭଳି ନୀରବ ରହି ଓବିସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି
 ଜାତିଭିତିକ ଜନଗଣନା ସମ୍ପର୍କରେ ବିଜେଡିର ମିଛ ପ୍ରଚାର ଧରା ପଡିଲା
 ଷଡଯନ୍ତ୍ର ରଚି ଶାସକ ବିଜେଡି ଚଳିତ ପଂଚାୟତ ନିର୍ବାଚନରେ ୫୪ ପ୍ରତିଶତ ଓବିସିବର୍ଗଙ୍କୁ ଆଗାମୀ ୫ବର୍ଷ ପାଇଁ ବଂଚିତ କରିଛନ୍ତି

ଭୁବନେଶ୍ୱର,: ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡିଶାରେ ତାହା ଦିଆଯାଉନାହିଁ । ଡାକ୍ତରୀ ଶିକ୍ଷାରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ କେନ୍ଦ୍ର ସରକାର ନିଷ୍ପତି ନେବା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତିକୁ ମୋହର ମାରିଲେ । ବର୍ତମାନ ଡାକ୍ତରୀ ଶିକ୍ଷା ପାଇଁ କାଉନସେଲିଂ ଚାଲୁଥିବା ବେଳେ ଓଡିଶା ସରକାର ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କିଛି ନ ଜାଣିଲା ଭଳି ନୀରବ ରହି ଓବିସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଓଡିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ‘କେନ୍ଦ୍ର ସରକାର’ ନା ‘ନ୍ୟାୟାଳୟ’ କିଏ ମନା କରିଛନ୍ତି ? ଶାସକ ଦଳ ଭାବେ ବିଜେଡି ଏହାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଦାବୀ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବର୍ତମାନ ମେଡିକାଲ ଶିକ୍ଷା ପାଠ୍ୟକ୍ରମ ପାଇଁ ସର୍ବଭାରତୀୟ ସ୍ତରରେ କାଉନସେଲିଂ ଆରମ୍ଭ ହୋଇସାରିଛି ଏବଂ ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି । ଡାକ୍ତରୀ ଶିକ୍ଷାରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଉଭୟ କେନ୍ଦ୍ର ସରକାର ଏବଂ ଉଚ୍ଚତମ ନ୍ୟାୟାଳୟ ମୋହର ମାରିବା ପରେ ଓଡିଶା ସରକାର ଓଡିଆ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରେ ଉପକୃତ ହେବାରୁ ବଂଚିତ ରଖୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ମେଡିକାଲ ଶିକ୍ଷାରେ ଓବିସି ବର୍ଗଙ୍କୁ ରାଜ୍ୟ ସରକାର ସଂରକ୍ଷଣ ଦେବେ ନାହିଁ ଏବଂ ପରବର୍ତୀ ସମୟରେ ନିଜ ଦୋଷ ଲୁଚାଇବା ପାଇଁ ବିଭିନ୍ନ ପ୍ରକାରର ବାହାନାବାଜି କରିବେ ।
ସଂପ୍ରତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ, କେନ୍ଦ୍ରୀୟ ଜନଗଣନା ସହିତ ଓବିସି ସଂରକ୍ଷଣର କୌଣସି ସମ୍ପର୍କ ନାହିଁ । ଓବିସିମାନଙ୍କ ପାଇଁ ଯେଉଁ ସଂରକ୍ଷଣ ହେବ ତାହା ରାଜ୍ୟ ସରକାରଙ୍କର ନିଜସ୍ୱ ବ୍ୟାପାର । ରାଜ୍ୟ ସରକାରଙ୍କ ନିଜସ୍ୱ ସର୍ଭେ ଆଧାରରେ ଆନୁପାତିକ ଭିତିରେ ସଂରକ୍ଷଣ ପ୍ରତିଶତ ନିର୍ଦ୍ଧାରଣ କରିବେ । କିନ୍ତୁ ରାଜ୍ୟ ସରକାର ସେପରି ନକରି ଅଭ୍ୟାସଗତ ଭାବରେ କେନ୍ଦ୍ର ଓ କୋର୍ଟକୁ ଦୋଷ ଦେଇ ଖସିଯିବାର ଚକ୍ରାନ୍ତ କରିଛନ୍ତି । ଜାତିଭିତିକ ଜନଗଣନା ସମ୍ପର୍କରେ ବିଜେଡିର ମିଛ ପ୍ରଚାର ଧରା ପଡିଲା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଟ୍ରିପଲ୍ ଟେଷ୍ଟ ଆଧାରରେ ପଂଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ହୋଇ ନପାରିବା କାରଣରୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସରକାର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବିରୋଧୀ ମାନସିକତା କାରଣରୁ ଯୋଜନାବଦ୍ଧ ଭାବେ ସଂଖ୍ୟାଧିକ ବର୍ଗଙ୍କ ସ୍ୱାର୍ଥକୁ ଉପେକ୍ଷା କରି ତାଙ୍କୁ ନ୍ୟାୟ ପାଇବାରୁ ବଂଚିତ କରିଛନ୍ତି । ଷଡଯନ୍ତ୍ର ରଚି ଶାସକ ବିଜେଡି ଚଳିତ ପଂଚାୟତ ନିର୍ବାଚନରେ ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ଆଗାମୀ ୫ବର୍ଷ ପାଇଁ ବଂଚିତ କରିଛନ୍ତି ।
ଏଥି ମଧ୍ୟରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଓବିସି ସଂରକ୍ଷଣ ସଂପର୍କିତ ମୂଳ ମକଦ୍ଦମା ଏବେ ବି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ଅବସ୍ଥାରେ ଅଛି । କିନ୍ତୁ ରାଜ୍ୟସରକାର ସଂରକ୍ଷଣ ପ୍ରସଙ୍ଗରେ କୈାଣସି ଆନ୍ତରିକତା ପ୍ରଦର୍ଶନ କରିନାହାନ୍ତି । ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀମତି ସୋନାଲୀ ସାହୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking