19.1 C
Bhubaneswar
Monday, November 18, 2024
Homeଓଡିଶାଅଣଓଡ଼ିଆ ଲୁଟେରାଙ୍କ ଆତଙ୍କ

ଅଣଓଡ଼ିଆ ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର : ରାଜଧାନୀରେ ପୁଲିସ ଓ ଅପରାଧୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ପୁଲିସର ତଦନ୍ତ ଶୈଳୀ ଏବଂ ଅପରାଧୀଙ୍କ ଲୁଟ୍ ତରିକା ସହଜରେ ଜାଣିହୁଏନା । ନିକଟରେ କେତୋଟି ଘଟଣାକୁ ନେଇ ପୁଲିସ ଅଡୁଆରେ ପଡ଼ିଯାଇଛି । ରାଜଧାନୀରେ କେତେକ ଅଣଓଡ଼ିଆ ଲୁଟେରା ନୂଆ ଉପାୟରେ ଲୁଟି ଦୋକାନୀଙ୍କୁ ଝଟ୍‌କା ଦେଉଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦୁଇଦିନ ହେବ ରାଜଧାନୀର ଦୁଇ ପ୍ରମୁଖ ସ୍ଥାନ ତଥା ରବି ଟକିଜ ଓ ନୟାପଲ୍ଳୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜର ଏନ୍‌-୨ ଅଞ୍ଚଳର ଲୁଟ୍ ଘଟଣା ପୁଲିସକୁ ଚକିତ କରିଦେଇଛି । ଦୁଇଟି ଔଷଧ ଦୋକାନକୁ ଟାର୍ଗେଟ କରି ଲୁଟେରାମାନେ ପର୍ଯ୍ୟାୟକ୍ରମେ ୩୬ହଜାର ଓ ୪୪ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବଡ଼ଗଡ଼ ଓ ନୟାପଲ୍ଲୀ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ଏଥିସହ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ କେବି ଏହି ଲୁଟେରାମାନେ ଧରାପଡ଼ିବେ, ସେନେଇ ପୁଲିସ କୌଣସି ସୂଚନା ଦେଇନାହିଁ ।

ରବିଟକିଜ୍ କୌଶଲ୍ୟା ମେଡ଼ିସିନ୍‌ରୁ ଲୁଟିଲେ
ରବି ଟକିଜ ନିକଟରେ ଥିବା କୌଶଲ୍ୟା ମେଡିସିନ ଷ୍ଟୋରରେ ଗତ ଦୁଇଦିନ ତଳେ ଦୋକାନର ମାଲିକ ବସିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଆସି ଦୋକାନରେ ପହଞ୍ଚିବା ସହ ତାଙ୍କର ଆଣ୍ଠୁ ବିନ୍ଧା ହେଉଥିବା କହିଥିଲେ । ପରେ ଏଥିପାଇଁ ସେ ଏକ ସ୍ପ୍ରେ’ କିଣିଥିଲେ। ତେବେ ଉକ୍ତ ସ୍ପ୍ରେ’ର ଦାମ୍ ଠାରୁ ୩୦ଟଙ୍କା କମ ଦେଇ ବ୍ୟକ୍ତି ଜଣକ ଔଷଧ ନେଇ ଦୋକାନରୁ ହଠାତ ପଳାଇଥିଲେ । ଏହା ଦେଖି ଔଷଧ ବ୍ୟବସାୟୀ ଦୋକାନ ଛାଡ଼ି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଛରୁ ଡାକିବା ଉଦ୍ଦେଶ୍ୟରେ କିଛି ବାଟ ଚାଲି ଚାଲି ଯାଇଥିଲେ । ଏହି ସମୟ ମଧ୍ୟରେ ପୂର୍ବରୁ ବିପରୀତ ଦିଗରେ ଛକି ରହିଥିବା ଅନ୍ୟଜଣେ ଲୁଟେରା ଦୋକାନ ଭିତରେ ପଶିଥିଲେ । ପରେ ଆଖି ପିଛୁଳାକେ ଟଙ୍କା ବାକ୍ସରେ ଥିବା  ୩୬ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ନୟାପଲ୍ଲୀରେ ହର୍ଲିକ୍ସ କିଣିବାକୁ ଆସି ଲୁଟ୍‌
ନୟାପଲ୍ଲୀ ଆଇଆରସି ଭିଲେଜ ଏନ-୨ରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋରକୁ ଶୁକ୍ରବାର ଜଣେ ଲୁଟେରା ଗ୍ରାହକ ବେଶରେ ଆସିଥିଲେ। ଲୁଟେରା ଜଣକ ଦୋକାନୀଙ୍କ ଠାରୁ ଏକ ହର୍ଲିକ୍ସ ନେବାକୁ କହିଥିଲେ । ଏଥିସହ ହର୍ଲିକ୍ସ ବାବଦରେ କେତେ ଟଙ୍କା ଦୋକାନୀଙ୍କୁ ପଚାରି ବୁଝିଥିଲେ । ପରେ ଲୁଟେରା ଜଣକ ପକେଟରୁ ଟଙ୍କା ବାହାର କରି ଗଣିବା ସହ ଔଷଧ ଦୋକାନୀଙ୍କୁ ଉକ୍ତ ଟଙ୍କା ବଢ଼ାଇ ହର୍ଲିକ୍ସ ନେଇ ଦୋକାନରୁ ଚମ୍ପଟ ମାରିଥିଲେ । ତେବେ ହର୍ଲିକ୍ସ ବୋତଲର ଦାମ୍ ଠାରୁ ୪୪ଟଙ୍କା କମ୍ ଦେଇ ଲୁଟେରା ଜଣକ ସେଠାରୁ ପଳାଇଥିଲେ । ଏହାର ମାତ୍ର କେଇ ମିନିଟ ମଧରେ ସେଠାରେ ଅନ୍ୟ ଜଣେ ଯୁବକ ପହଞ୍ଚି ଦୋକାନୀଙ୍କ ସହ କଥା ହେବାବେଳେ ଦୋକାନୀ ଜଣ ହର୍ଲିକ୍ସ ନେଇଥିବା ଗ୍ରାହକ ୪୪ଟଙ୍କା କମ୍ ଦେଇଥିବା କହିଥିଲେ । ପରେ ଦୋକାନୀ ସମ୍ପୃକ୍ତ ଗ୍ରାହକଙ୍କୁ ଧରିବା ପାଇଁ ତାଙ୍କ ପଛରେ ଗ୍ରାହକଙ୍କ ସହ ଯିବା ସମୟରେ ଅନ୍ୟ ଜଣେ ଯୁବକ ସିଧାସଳଖ ଦୋକାନ ଭିତରକୁ ଡେଇଁ ପଶିବା ସହ ଟଙ୍କାବାକ୍ସରେ ଥିବା ୪୯ହଜାର ଟଙ୍କା ନେଇ ଫେରାର ହୋଇଯାଇଛି ।

ମୋଟୁ-ପତଲୁ ଯୋଡ଼ି
ଉଭୟ ଲୁଟ୍ ଘଟଣାରେ ଦୋକାନଦ୍ୱୟକୁ ଆସିଥିବା ଲୁଟେରମାନେ ଖଣ୍ଡି ହିନ୍ଦୀ, ଓଡ଼ିଆରେ କଥା ହେଉଥିଲେ । ସେହିପରି ଦୋକାନ ଦୁଇଟିକୁ ଆସିଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ମୋଟା ଲୋକ ହୋଇଥିବାବେଳେ ଅନ୍ୟ ଜଣେ ପତଳା ଥିବା ଜଣାପଡ଼ିଛି । ତେଣୁ ଏହାକୁ ମୋଟୁ-ପତଲୁ ଗ୍ୟାଙ୍ଗ ବୋଲି ଆଖ୍ୟା ଦିଆଯାଇଛି ।

ସନ୍ଦେହ ହେଲେ ପୁଲିସକୁ ଜଣାନ୍ତୁ
ଘଟଣା ସଂକ୍ରାନ୍ତରେ ଡିସିପି ଉମାଶଙ୍କର ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି ଧରଣର ଲୁଟ୍ ଘଟଣା ପୁଲିସ ପାଇଁ ନୂଆ । ଲୁଟେରମାନେ ନୂଆ କରି ଏଭଳି ଅଭିନବ ବାଟ ବାହାର କରିଥିବା ଅନୁମାନ ହେଉଛି । ଏହାକୁ ନେଇ ପୁଲିସ ରାଜଧାନୀର ସମସ୍ତ ଔଷଧ ଦୋକାନୀଙ୍କ ସହ ଆଲୋଚନା କରିଛି । ଦୋକାନକୁ ଆସୁଥିବା କୌଣସି ଲୋକ ଉପରେ ସନ୍ଦେହ ହେଲେ, ତୁରନ୍ତ ପୁଲିସକୁ ଖବର ଦେବାକୁ ଅନୁରୋଧ କରାଯାଇଥିବା ଡିସିପି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking