କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କ୍ରମାଗତ ଭାବେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଫଳରେ ବହୁ ମୂଲ୍ୟବାନ ଧନଜୀବନ ହାନି ହେବା ସହ ଅକାଳରେ ନିରୀହ ଜୀବନ ଟଳି ପଡୁଛନ୍ତି । ରାଜ୍ୟରେ କେନ୍ଦୁଝର ଜିଲ୍ଲାର ମୃତ୍ୟୁହାର ଉଦ୍ବେଗଜନକ ରହିଛି । ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି । ଜିଲ୍ଲାରେ ମୃତ୍ୟୁହାର କମୁନଥିବାରୁ ସାଧାରଣ ଲୋକ ରାସ୍ତାରେ ଯାତାୟତ କରିବାକୁ ନିରାପଦ ମଣୁନାହାଁନ୍ତି । ପ୍ରତିବର୍ଷ କେନ୍ଦୁଝର ଜିଲ୍ଲାରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବାବେଳେ ଗତ ୭ ବର୍ଷରେ ୨୧୧୭ ଜଣଙ୍କ ମୃତ୍ୟୁ ହୋଇଛି । ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝରଜିଲ୍ଲାର ରାଜପଥ ମୃତ୍ୟୁଯନ୍ତା ପାଲଟିଛି । ଜିଲ୍ଲାରେ ସଡକ ଦୁର୍ଘଟଣାରେ ଶହ ଶହ ଲୋକ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଥିବାବେଳେ ବହୁ ବିକଳାଙ୍ଗ ହୋଇ ଜୀବନ ବିତାଉଛନ୍ତି ।
କେନ୍ଦୁଝର ସହର ସମେତ ଜାତୀୟ ରାଜପଥ ୪୯ର କେନ୍ଦୁଝରଠାରୁ ଶୁଆକାଟୀ ପର୍ଯ୍ୟନ୍ତ ରାସ୍ତା ଜାମ ରହୁଛି ।ଫଳରେ ଅନେକ ସମୟରେ ଦୂର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ସହରର ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ କରାଯାଇଥିବା ଫୁଟ୍ଫାଥ୍ ବ୍ୟବସାୟୀଙ୍କ କବ୍ଜାରେ ରହିଛି । ବେପରୁଆ ଗାଡ଼ିଚାଳନା ନିଷେଧ ସତ୍ତ୍ୱେ ଦିନବେଳା ଭାରିଯାନ ଜାତୀୟ ରାଜପଥ ୨୦ରେ ଚଳାଚଳ, ଗ୍ରାମାଞ୍ଚଳ ରାସ୍ତାରେ ଭାରିଯାନ ଚଳାଚଳ, ରାତିରେ କ୍ଷମତାଠାରୁ ଅଧିକ ସଂଖ୍ୟକ ଗାଡି ଚଳାଚଳ, ଅନଭିଜ୍ଞ ଡ୍ରାଇଭରଙ୍କ ଦ୍ୱାରା ଗାଡ଼ି ଚାଳନା, ରାତି ଅନିଦ୍ରା ହୋଇ ଗାଡ଼ି ଚାଳନା, ନିଶାଶକ୍ତ ହୋଇ ଓ ଟ୍ରାଫିକ୍ ନୀତିନିୟମ ସମ୍ପର୍କରେ ଅବଗତ ନହୋଇ ଗାଡିଚାଳନା ଆଦି ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାଛଡ଼ା ଓଭର୍ଲୋଡିଂ କେତେକ ଅଞ୍ଚଳରେ ଶୋଚନୀୟ ରାସ୍ତା ଅବସ୍ଥା, ଦିନବେଳା ରାସ୍ତା ଉପରେ ବେଆଇନ ଟ୍ରକ ପାର୍କିଂ କାରଣରୁ ମଧ୍ୟ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି ।
ଏନେଇ ସରକାରଙ୍କ ବହୁ ନୀତିନିୟମ, ଆଇନ ରହିଥିଲେ ହେଁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉନଥିବାରୁ ଦୁର୍ଘଟଣା ହେଉଛି । ଜାତୀୟ ରାଜପଥ ୪୯,ଜାତୀୟ ରାଜପଥ ୨୦,ପଳାଶପଙ୍ଗା-ବାମେବାରୀ-ଯୋଡା,
ଜାତୀୟ ରାଜପଥ ୪୯ ବାଇପାସ ଶେଷ କରାଯାଉନଥିବା, ଧାର୍ଯ୍ୟଠାରୁ ଅଧିକ କ୍ଷମତାସମ୍ପନ୍ନ ଗାଡ଼ି ବିଭିନ୍ନ ରାସ୍ତାରେ ଚଳାଚଳ କରିବା, ଭାରିଯାନ ଗ୍ରାମାଞ୍ଚଳ ରାସ୍ତାରେ ବେଆଇନ ଭାବରେ ଚଳାଚଳ କରୁଥିବାରୁ ରାସ୍ତା ଭାଙ୍ଗି ଦୁର୍ଘଟଣାର କାରଣ ହେଉଥିଲେ ମଧ୍ୟ ଏନେଇ କଟକଣା ଲାଗୁ କରାଯାଉନାହିଁ । ଏଥିସହ ଅଧିକ ଦୁର୍ଘଟଣା ହେଉଥିବା ହରିଚନ୍ଦନପୁର କୁଆଝରଣ ଘାଟି, କାଞ୍ଜିପାଣି ଘାଟି, ଜୁଡିଆ ଘାଟି, ନରଣପୁର ରେଲୱେ ଓଭରବ୍ରିଜ୍, ଜାତୀୟ ରାଜପଥ ୪୯ର ଚେମଣା ଛକ, ଶଙ୍କରପୁର, ରାଜୀୟ ରାଜପଥ ୨୦ର ରାଇସୁଆଁ, ଘସିପୁରା ବାଇପାସ୍, ଗଦାଧରପୁର, ସାନମସିଣାବିଲା ପ୍ରଭୃତି ୧୭ଟି ସ୍ଥାନକୁ ବ୍ଲାକସ୍ପଟ୍ ଭାବେ ଚିହ୍ନଟ କରାଯାଇଛି । ଏହି ସ୍ଥାନରେ ସୋଲାର ସିଗନାଲ୍, ରିଫ୍ଲେକ୍ଟ ଷ୍ଟିକର୍, ସର୍ତକ ଫଳକ ଲଗାଇବା ସହ ତ୍ରୁଟିପୂର୍ଣ୍ଣ ରାସ୍ତା ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା ।
ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଉନଥିବାରୁ ଯାତ୍ରୀଙ୍କୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ବ୍ଲାକ ସ୍ପଟ୍ ଅଞ୍ଚଳର ପ୍ରତିକାରମୂଳକ ପଦକ୍ଷେପ ନେବାକ୍ୁ ଏନ୍ଏଚ୍ଏଆଇ ଏବଂ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଉଭୟ ବିଭାଗ ପାଳନ କରୁନାହାନ୍ତି । ରୋଡ୍ ସେଫ୍ଟି ଅଡିଟ୍ ଏହାର ଯାଞ୍ଚ କରିଛି । ରିପୋର୍ଟ ମିଳିବା ପରେ ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ସ୍ଥାନର ପ୍ରତିକାର ବ୍ୟବସ୍ଥା କରାଯାଉଥିବା ଆରଟିଓ ନିର୍ମଳ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଜାତୀୟ ରାଜପଥ ୨୦ର କେନ୍ଦୁଝରଠାରୁ ପାଣିକୋଇଲି ମଧ୍ୟରେ ଅନେକ ସ୍ଥାନରେ ରାସ୍ତା ଦବି ଯାଇଥିବାରୁ ଦୁର୍ଘଟଣା ଘଟୁଛି । ଉକ୍ତ ସ୍ଥାନରେ ରାସ୍ତା ମରାମତି ବିଳମ୍ବ ହେଉଥିବାବେଳେ ଅସମ୍ପୂର୍ଣ୍ଣ ରାସ୍ତାରେ ଏନ୍ଏଚ୍ଏଆଇ କେବଳ ଟୋଲ ଆଦାୟରେ ବ୍ୟସ୍ତଥିବା ଅଭିଯୋଗ ହୋଇଛି । ଏନ୍ଏଚ୍-୨୦ ଅସମ୍ପୂର୍ଣ୍ଣ ରାସ୍ତା ଶେଷ କରିବାରେ ଏଆର୍ଏସ୍ଏସ୍ ବିଳମ୍ବ କରୁଛି । ଯେଉଁଥିପାଇଁ ଦୁର୍ଘଟଣା ବଢୁଛି ।
ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ ବର୍ଷରେ ୪୮୧ ଟି ଦୁର୍ଘଟଣାରେ ୨୦୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୬ ବର୍ଷରେ ଜିଲ୍ଲାରେ ସମୁଦାୟ ୫୫୭ଟି ଦୁର୍ଘଟଣାରେ ୨୫୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୧୭ ମସିହାରେ ୫୯୨ଟି ଦୁର୍ଘଟଣା ଘଟି ୩୧୨ଜଣଙ୍କ ମୃତ୍ୟୁ ଏବଂ ୫୭୪ ଜଣ ଆହତ ହୋଇଥିଲେ । ୨୦୧୮ ମସିହାରେ ୬୩୩ଟି ଦୂର୍ଘଟଣା ଘଟି ୩୧୫ଜଣ ମୃତ୍ୟୁବରଣ କରିଥିବାବେଳେ ୭୬୭ଜଣ ଆହତ ହୋଇଛନ୍ତି । ୨୦୧୯ ମସିହାରେ ୬୭୪ଟି ଦୁର୍ଘଟଣା ଘଟିଥିବାବେଳେ ୩୩୩ଜଣ ମୃତ୍ୟୁ ଏବଂ ୭୦୮ଜଣ ଆହତ ହୋଇଛନ୍ତି । ୨୦୨୦ ମସିହାରେ ୬୪୯ଟି ଦୂର୍ଘଟଣା ଘଟିଥିବାବେଳେ ୪୩୫ଜଣ ଆହତ ଏବଂ ୩୫୪ ଜଣ ମୃତ୍ୟୁବରଣ କରିଛନ୍ତି । ୨୦୨୧ ଡିସେମ୍ବର ମାସ ଶେଷ ଶେଷ ପର୍ଯ୍ୟନ୍ତ ୬୭୫ ଟି ଦୂର୍ଘଟଣା ଘଟି ୫୦୯ ଜଣ ଆହତ ଏବଂ ୩୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି । କେନ୍ଦୁଝରରେ ଟ୍ରାଫିକ ଥାନା ପ୍ରତିଷ୍ଠା ପାଇଁ ବହୁ ଦିନ ହେବା ଦାବି ହୋଇ ଆସୁଛି । ଜିଲ୍ଲାରେ ଟ୍ରାଫିକ ନିୟମ ଅବମାନନା, ଓଭରଲୋଡିଂ, ବେପରୁଆ ଗାଡ଼ିଚାଳନା, ଭାରିଯାନରେ ଲୋକ ଯାତାୟତ, ଦ୍ରୁତଗତିରେ ଗାଡ଼ିଚାଳନା, ଅନଭିଜ୍ଞ ଲୋକ ଗାଡ଼ିଚାଳନା ଯୋଗୁଁ ଦୁର୍ଘଟଣା ବଢୁଥିବା ସାଧାରଣରେ ଅଭିଯୋଗ ହେଉଛି ।