ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ମାଲକାନଗିରି, ମୟୁରଭଞ୍ଜ, ଅନୁଗୁଳ, ଭଦ୍ରକ, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା ଆଦି ଜିଲ୍ଲାରେ ଅତି ଘନକୁହୁଡ଼ି ରିପୋର୍ଟ ହୋଇଛି । ଅନୁଗୁଳରେ ଭିଜିବିଲିଟି ୫୦ ମିଟରରୁ କମ୍ ରହିଥିଲା । ସେହିଭଳି ଭୁବନେଶ୍ୱରରେ ଭିଜିବିଲିଟି ୫୦ରୁ ୨୦୦ ମିଟର ମଧ୍ୟରେ ରିପୋର୍ଟ ହୋଇଛି । ଏୟାରପୋର୍ଟ ଅଞ୍ଚଳରେ ଭିଜିବିଲିଟି ରେଞ୍ଜ ମାତ୍ର ୧୦୦ ମିଟର ମଧ୍ୟରେ ରହିଥିଲା । ସହରର ବିଭିନ୍ନ ପ୍ରାନ୍ତରରେ ଘନ କୁହୁଡି଼ ସହ ଭିଜିବିଲିଟି ୧୦୦ ମିଟରରୁ କିମ୍ବା ତାଠାରୁ ଆହୁରି କମ୍ ହେବାକୁ ଥିବାରୁ ଯଥା ସମ୍ଭବ ଯାତାୟାତରୁ ନିବୃତ ରୁହିବାକୁ ଏବଂ ଅତ୍ୟନ୍ତ ଜରୁରୀ ଥିଲେ ଗନ୍ତବ୍ୟ ସ୍ଥଳକୁ ସତର୍କତାର ସହ ଗମନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବର୍ତ୍ତମାନ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି ।
ଏକ ନିମ୍ନ ଚାପରେଖା ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଯାଏଁ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ସକ୍ରିୟ ରହିଛି । ସେହିଭଳି ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବେଶ ଲାଗି ରହିଛି । ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ଧରି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସେହିଭଳି ଆଗକୁ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।
୨୩ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ସାମନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଜଣାଇଛି । କିଛି ଅଞ୍ଚଳରେ ବିଜୁଳି ସହ ଘଡ଼ଘଡ଼ିର ମଧ୍ୟ ଆଶଙ୍କା ରହିଛି । ତାପମାତ୍ରା କଥା ଦେଖିଲେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ କିରେଇରେ ୯.୫ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ା ହିଲଷ୍ଟେସନରେ ଯଥାକ୍ରମେ ୧୦.୫ ଡିଗ୍ରୀ ଏବଂ ୮.୯ ଡିଗ୍ରୀ ତାପମାତ୍ରା ରିପୋର୍ଟ ହୋଇଛି । ଭୁବନେଶ୍ୱର ସହରରେ ସର୍ବାଧିକ ୨୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ବିଭିନ୍ନ ସ୍ଥାନରେ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ।