ଭୁବନେଶ୍ୱର : ଢିଙ୍କିଆ ଅଞ୍ଚଳରୁ ତୁରନ୍ତ ପୁଲିସ୍ ବଳ ହଟାଇବା, ଲୋକଙ୍କ ଉପରେ ପୋଲିସ୍ ଅତ୍ୟାଚାର ବନ୍ଦ କରିବା,
ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା, ଗିରଫ ହୋଇ ଜେଲ୍ରେ
ଥିବା ସମସ୍ତଙ୍କୁ ତୁରନ୍ତ ଖଲାସ କରିବା ଏବଂ ୧୪ ଜାନୁୟାରୀର ପୋଲିସ୍ର ଅମାନୁଷିକ ଲାଠି ଚାଳନା ଓ
ଅତ୍ୟାଚାରର ତଦନ୍ତ ଉଚ୍ଚ ନ୍ୟାୟାଳୟର ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍.ଆଇ.ଟି.)
ଦ୍ୱାରା କରିବା ଇତ୍ୟାଦି ଦାବିରେ ୧୩ଟି ବିରୋଧୀ ରାଜନୈତିକ ଦଳର ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ ମାନ୍ୟବର
ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ମହୋଦୟ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ
ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସାମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମିଳିତ ପ୍ରତିନିଧିମଣ୍ଡଳୀକୁ
ପ୍ରତିଶ୍ରୃତି ଦେଇଛନ୍ତି । ୨୧ ଜାନୁୟାରୀରରେ ଏହି ନେତୃବୃନ୍ଦ ଢିଙ୍କିଆ ଅଞ୍ଚଳ ଗସ୍ତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର
ହୋଇଛି ।
୧୩ଟି ରାଜନୈତିକ ଦଳର ନେତୃବୃନ୍ଦ କହିଛନ୍ତି ଯେ ଢିଙ୍କିଆରେ ମାନବିକ ଅଧିକାର ଏବଂ ସ୍ୱଭାବିକ
ଜୀବନ ଯାତ୍ରା ଭୁଲୁଣ୍ଠିତ ହୋଇଛି । ପୁଲିସ୍ ଓ ସରକାରୀ ଦଳର ଗୁଣ୍ଡାଙ୍କ କବଳରେ ଢିଙ୍କିଆ ଅଞ୍ଚଳର ସାଧାରଣ
ଜନତା ଅରାଜକତା ଏବଂ ଅତ୍ୟନ୍ତ ଭୟାତୁର ବାତାବରଣ ମଧ୍ୟରେ ଜୀବନ ବିତାଉଛନ୍ତି । ଲୋକେ ପୁଲିସ୍
ଭୟରେ ଗାଁ ଛାଡି ଜଙ୍ଗଲରେ ଲୁଚିଛନ୍ତି । ଶିଶୁ, ବୃଦ୍ଧ, ବୃଦ୍ଧା ଏବଂ ମହିଳାମାନଙ୍କ ଅବସ୍ଥା ଅତି ଅଭାବନୀୟ
ଅଟେ । ଲୋକଙ୍କ ପାଖରେ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଜନିତ ସଙ୍କଟ ସୃଷ୍ଟି ହୋଇଛି । ଢିଙ୍କିଆ ଜନସାଧାରଣଙ୍କର
ପରିସ୍ଥିତି ଅତି ଗୁରୁତର ହୋଇପଡିଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ପରିସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ
ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ୧୩ଟି ଦଳର ନେତୃବୃନ୍ଦ କହିଛନ୍ତି ।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସର ରାଜ୍ୟନେତା ପଞ୍ଚାନନ କାନୁନ୍ଗୋ,
ସି.ପି.ଆଇ. ର ରାଜ୍ୟ ସମ୍ପାଦକ ଆଶିଷ୍ କାନୁନ୍ଗୋ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ,
ସି.ପି.ଆଇ.(ଏମ୍)ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ
ପତି, ସୁରେଶ ପାଣିଗ୍ରାହୀ, ସି.ପି.ଆଇ.(ଏମ୍-ଏଲ୍) ଲିବରେସନ୍ର ରାଜ୍ୟ ନେତା ମହେନ୍ଦ୍ର ପରିଡା, ଅଲ୍
ଇଣ୍ଡିଆ ଫରୱାର୍ଡ ବ୍ଳକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସି.ପି.ଆଇ.(ଏମ୍-ଏଲ୍)
ରେଡ୍ଷ୍ଟାର୍ର ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା, ପୁଜା ଦାସ, ସି.ପି.ଆଇ.(ଏମ୍-ଏଲ୍) ନ୍ୟୁ ଡେମୋକ୍ରେସିର
ରାଜ୍ୟ ନେତା ପ୍ରତାପ ପ୍ରଧାନ, ସି.ପି.ଆଇ.(ଏମ୍-ଏଲ୍)ର ରାଜ୍ୟ ନେତା ଶ୍ରୀକାନ୍ତ ମହାନ୍ତି, ସମାଜବାଦୀ ପାର୍ଟିର
ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଆମ୍ ଆଦମୀ ପାର୍ଟିର ରାଜ୍ୟ ମୁଖ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ,
ଆର୍.ପି.ଆଇ. ର ରାଜ୍ୟ ସଭାପତି ଶେଖ୍ ଅବଦୁଲ୍ ୱାଲି, ଆର୍.ଜେ.ଡି. ର ରାଜ୍ୟ ନେତା ହେମନ୍ତ କୁମାର
ଏବଂ ଏନ୍.ସି.ପି. ର ରାଜ୍ୟ ନେତା ବିକ୍ରମ ସ୍ୱାଇଁ ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଆଜି ରାଜ୍ୟପାଳଙ୍କୁ ଭେଟିଥିବା
ପ୍ରତିନିଧି ଦଳରେ ସାମିଲ ହୋଇଥିଲେ ।