16.1 C
Bhubaneswar
Saturday, January 11, 2025
Homeଓଡିଶାସାରା ରାଜ୍ୟରେ ଅଦିନିଆ ବର୍ଷା : ଚାଷୀ ହନ୍ତସନ୍ତ, ମଣ୍ଡିରେ ଭିଜିଲା ଧାନବସ୍ତା

ସାରା ରାଜ୍ୟରେ ଅଦିନିଆ ବର୍ଷା : ଚାଷୀ ହନ୍ତସନ୍ତ, ମଣ୍ଡିରେ ଭିଜିଲା ଧାନବସ୍ତା

ଭୁବନେଶ୍ୱର:  ରାଜ୍ୟରେ ସୋମବାର ଠାରୁ ବର୍ଷା ଲାଗି ରହିଛି । ଗତକାଲି ପଶ୍ଚିମ ଓଡ଼ିଶାରେ ଆଂଶିକ ବର୍ଷା ହୋଇଥିବା ବେଳେ ଆଜି ପ୍ରବଳ ଛେଚିଛି । ସେହିଭଳି ଆଜି ସନ୍ଧ୍ୟାରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସହ କଟକରେ ମଧ୍ୟ ବୃଷ୍ଟିପାତ ହୋଇଛି । ବାୟୁମଣ୍ଡଳର ମଧ୍ୟ ଓ ଉପର ସ୍ତରର ପଶ୍ଚିମା-ବାୟୁ ଓ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ଯୋଗୁଁ, ପାରସ୍ପରିକ ପ୍ରକ୍ରିୟା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ସମେତ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ନୟାଗଡ଼, ଖୋର୍ଦ୍ଧା, କଟକ, ଗଞ୍ଜାମ, ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇଛି ।

ବୁଧବାର ରାଜ୍ୟରେ ସବୁ ଜିଲ୍ଲାରେ ବର୍ଷାର ପ୍ରଭାବ ଜାରି ରହିବା ସହ ଅନେକ ସ୍ଥାନରେ କାଳବୈଶାଖୀ ସହ କୁଆପଥର ମାଡ଼ ଏବଂ ବଜ୍ରପାତ ହେବାନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏସବୁ ସ୍ଥାନରେ ୬୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ସର୍ବାଧିକ ୩୮ ମିଲିମିଟର ବର୍ଷା ହୋଇଥିବା ବେଳେ ଲାଞ୍ଜିଗଡ଼ରେ ୩୬.୪ ମିଲିମିଟର, ନୂଆପଡ଼ାରେ ୨୩.୦ ମିଲିମିଟର, ନବରଙ୍ଗପୁର ଜିଲ୍ଲା ରାଇଗଡ଼ରେ ୨୧.୦ ମିଲିମିଟର, ଭବାନୀପାଟଣାରେ ୨୦.୦, ଜୁନାଗଡ଼ରେ ୧୩.୦, ସିନାପାଲ୍ଲିରେ ୧୧.୩ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ଏହି ଅଦିନିଆ ବର୍ଷା ପ୍ରଭାବରେ ଚାଷ ପ୍ରଭାବିତ ହେବାସହ ମଣ୍ଡି ଆଗରେ ଖୋଲାମେଲା ହୋଇ ପଡ଼ିରହିଥିବା ଧାନ ବସ୍ତା ଭିଜିଛି । ଫଳରେ ଚାଷୀ ନାନାଦି ହଇରାଣ ହରକତ ହୋଇଛନ୍ତି ।

୧୨ରୁ ୧୩ ତାରିଖ ଭିତରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି । ଏସବୁ ସ୍ଥାନରେ ମଧ୍ୟ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୩ରୁ ୧୪ ତାରିଖ ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ସମାନ ବର୍ଷା ଲାଗିରହିବା ଦର୍ଶାଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୪ ତାରିଖ ତାରିଖରେ ବର୍ଷା ଲାଗି ରହିବ ହେଲେ ଅତି ମାତ୍ରାରେ ବର୍ଷିବ ନାହିଁ । ୧୫ ତାରିଖ ପରଠୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଜଣାଇଛି । ପାଚିଲା ଧାନକୁ ଅମଳ କରିବା ସହ ଏହାକୁ ନିରାପଦ ସ୍ଥାନକୁ ଆଣିବା ଏବଂ ରବି ଫସଲ ତଥା ତୈଳବୀଜ ବୁଣିବା ପ୍ରକ୍ରିୟାକୁ କିଛିଦିନ ସ୍ଥଗିତ ରଖିବାକୁ ଚାଷୀଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking