21.1 C
Bhubaneswar
Monday, November 18, 2024
Homeଓଡିଶାଧରାପଡ଼ିଲେ ମହିଳା : ପାୱାରବ୍ୟାଙ୍କ୍‌ରେ କାଦୁଅ ପୁରାଇ ବିକୁଥିଲେ

ଧରାପଡ଼ିଲେ ମହିଳା : ପାୱାରବ୍ୟାଙ୍କ୍‌ରେ କାଦୁଅ ପୁରାଇ ବିକୁଥିଲେ

ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦି ସମେତ ଜନଗହଳିପୂର୍ଣ୍ଣ ଛକରେ ଲୋକଙ୍କୁ ପ୍ରବର୍ତ୍ତାଇ କାଦୁଅଭର୍ତ୍ତି ପାୱାର ବ୍ୟାଙ୍କ୍ ବିକ୍ରି କରୁଥିବା ଦୁଇଜଣ ମହିଳାଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତଦ୍ୱୟ ହେଲେ ମହାରାଷ୍ଟ୍ରର ଆଶା ସଞ୍ଜୁ ଯାଦବ(୪୦), ନିର୍ମଳା ଦେବଦାସ ଯାଦବ(୪୫) । ଏମାନଙ୍କ ଠାରୁ ୧୫ଟି କାଦୁଅଭର୍ତ୍ତି ପାୱାରବ୍ୟାଙ୍କ ସମେତ ନଗଦ ଏକହଜାର ଟଙ୍କା ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ଣ ସାଢ଼େ ୧୦ଟା ସମୟରେ ଅଭିଯୋଗକାରୀ ଏସବିଆଇ ମୁଖ୍ୟ ଶାଖା ନିକଟ ୟୁନିଟ୍ -୧ ରେ ଥିବା ତାଙ୍କ ଫ୍ରୁଟ ଷ୍ଟଲରେ ଥିଲେ । ଏତିକିବେଳେ ଦୁଇଜଣ ଅଜ୍ଞାତ ମହିଳା ତାଙ୍କ ନିକଟକୁ ଆସି ସେମାନଙ୍କ ଠାରୁ ୫୦୦ଟଙ୍କା ମୂଲ୍ୟର ମୋବାଇଲ୍ ପାୱାର ବ୍ୟାଙ୍କ କିଣିବାକୁ ପ୍ରବର୍ତ୍ତାଇଥିଲେ । ଅଭିଯୋଗକାରୀ ସେମାନଙ୍କ ଠାରୁ ଏକହଜାର ଟଙ୍କା ଦେଇ ଦୁଇଟି ପାୱାର ବ୍ୟାଙ୍କ କିଣିଥିଲେ ।

ତା’ପରେ ଅଭିଯୋଗକାରୀ ସିଲ୍ ପ୍ୟାକେଟ୍ ଚିରି ପାୱାର ବ୍ୟାଙ୍କ ଦ୍ୱାରା ମୋବାଇଲ ଚାର୍ଜିଂରେ ରଖିଥିଲେ ମଧ୍ୟ ଚାର୍ଜ ହୋଇନଥିଲା । ଏହାଦେଖି ଅଭିଯୋଗକାରୀ ପାୱାରବ୍ୟାଙ୍କ ଖୋଲି ଥିଲେ । ପାୱାର ବ୍ୟାଙ୍କ ଭିତର ଅଂଶରେ କାଦୁଅ ଅଛି ଦେଖିବାକୁ ପାଇଥିଲେ । ଏନେଇ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ତଦନ୍ତ ସମୟରେ ମାର୍କେଟ ପରିସରରେ ଖୋଜାଖୋଜି କରି ଉଭୟ ଅଭିଯୁକ୍ତ ମହିଳାଙ୍କୁ ଚିହ୍ନଟ କରିଥିଲା । ଏଥିସହ ସେମାନଙ୍କ ଠାରୁ ଗୋଟିଏ ହ୍ୟାଣ୍ଡବ୍ୟାଗ ଠାବ କରାଯାଇଥିଲା । ସେଥିରେ ୧୫ଟି ପାୱାରବ୍ୟାଙ୍କ ଥିଲା । ସମସ୍ତ ପାୱାର ବ୍ୟାଙ୍କ ଖୋଲିବା ପରେ ପ୍ରତ୍ୟେକ ପାୱାରବ୍ୟାଙ୍କ କାଦୁଅରେ ଭର୍ତି ଥିବା ଜଣାପଡିଥିଲା । ଲୋକଙ୍କୁ ଠକିବା ଉଦ୍ଦେଶ୍ୟ ରଖି ଅଭିଯୁକ୍ତଦ୍ୱୟ ପାୱାର ବ୍ୟାଙ୍କ ଭିତରେ ଓଦା କାଦୁଅ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking