ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି । ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଏହାର ନିୟମକୁ କଡାକଡି ପାଳନ କରୁଛନ୍ତି । ପୁଣି ଥରେ କରୋନାର ତୃତୀୟ ଲହର ବ୍ୟାପିବା ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପୁଣି ଥରେ କୋଭିଡର ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛି । ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସମସ୍ତ ରାଜ୍ୟ ସରକାର ନିଜ ନିଜ ସ୍ତରରେ ପ୍ରତିବନ୍ଧକ ଲଗାଉଛନ୍ତି । ସଂକ୍ରମଣ ବୃଦ୍ଧି ହେତୁ ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏଥିସହିତ ରେଳବାଇ ଏବଂ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ କେତେକ ରାଜ୍ୟରେ ନିର୍ଦ୍ଦେଶାବଳୀ ଦିଆଯାଇଛି । ଏହା ଅଧୀନରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛି । ଦକ୍ଷିଣ ରେଳବାଇ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଛି । ଟ୍ରେନରେ ‘ନୋ ଭ୍ୟାକ୍ସିନ୍, ନୋ ଏଣ୍ଟ୍ରି’ ପଲିସି ଗାଇଡଲାଇନ୍ ଆଣିଛି ରେଳବାଇ । ଏହି ନୂଆ ଗାଇଡଲାଇନ୍ ଅନୁଯାୟୀ, ଟିକା ନେଇନଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତ୍ରା କରିବାର ଅନୁମତି ମିଳିବ ନାହିଁ । ଅର୍ଥାତ୍ ଟ୍ରେନ୍ ଯାତ୍ରା ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ସବୁଠୁ ବଡ କଥା ହେଉଛି ସିଂଗଲ ଡୋଜ୍ ନେଇଥିବା ଲୋକଙ୍କୁ ବି ଟ୍ରେନରେ ଯାତ୍ରା କରିବାର ସୁଯୋଗ ମିଳିବ ନାହିଁ । ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ହିଁ ଟ୍ରେନରେ ଯାତ୍ରା କରିପାରିବେ । ରେଳବାଇ ଏହା ମଧ୍ୟ କହିଛି କି, କରୋନା ଗାଇଡଲାଇନକୁ ମାନିବା ବାଧ୍ୟତାମୂଳକ । ଟ୍ରେନ୍ ଟିକେଟ୍ କରିବା ସମୟରେ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ । ଯେଉଁ ଯାତ୍ରୀଙ୍କ ପାଖରେ ସାର୍ଟିଫିକେଟ୍ ଥିବ ସେହିମାନଙ୍କର ଟିକେଟ୍ ଜାରି କରାଯିବ । ଦିକ୍ଷିଣ ରେଳବାଇର ଏହି ଗାଇଡଲାଇନକୁ ଦେଖି ଅନ୍ୟ ରେଳବାଇ ବି ଏହି ନିୟମକୁ ଲାଗୁ କରିପାରନ୍ତି ।