୧୧ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୫ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି
ଭୁବନେଶ୍ୱର: ରାଜ୍ୟ ସରକାର ସମବାୟ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମିଲର୍ସଙ୍କ ଜରିଆରେ ଖରିଫ୍ ଏବଂ ରବି ଋତୁରେ ଚାଷୀଙ୍କଠୁ ଧାନ ସଂଗ୍ରହ କରୁଛନ୍ତି । ମିଲର୍ସମାନଙ୍କ ପାଇଁ ନିୟମ ହେଲା ସେମାନେ ଯେତିକି ଧାନ ଚାଷୀଙ୍କଠୁ କିଣିବେ ତାହାର ୬୮ % ଚାଉଳ ଆକାରରେ ରାଜ୍ୟ ଯୋଗାଣ ନିଗମକୁ ଦେବେ । ତେବେ ରାଜ୍ୟର ୫ଟି ଜିଲ୍ଲାରେ କିଛି ମିଲର୍ସ ଚାଷୀଙ୍କଠୁ ଧାନ କିଣିଛନ୍ତି, ହେଲେ ଯୋଗାଣ ନିଗମକୁ ଚାଉଳ ଦେଇନଥିବାର ଅଡିଟ୍ ସମୟରେ ଧରାପଡ଼ିଛି । ଏଭଳି ଭାବେ ମୋଟ ଉପରେ ୨୪ କୋଟି ଟଙ୍କା ଚଳୁ ହୋଇଥିବା ବେଳେ ଏହି କାର୍ଯ୍ୟରେ କିଛି ସରକାରୀ ବାବୁଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ସାମ୍ନାକୁ ଆସିଛି । ଏଣୁ ୧୧ଜଣ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ ୫ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ୍ କେଶରୀ ଦାସ ।
ରାଜ୍ୟର ୫ ଜିଲ୍ଲା ଯଥା ଭଦ୍ରକ, ଜଗତସିଂପୁର, ସମ୍ବଲପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁରରେ ମିଲର୍ସଙ୍କ ଜରିଆରେ ଏହି ୨୪ କୋଟି ଟଙ୍କା ଚଳୁ ହୋଇଛି । ଭଦ୍ରକ ସ୍ଥିତ ଏମ୍ଏସ୍ ମଙ୍ଗଳମ୍ ଆଗ୍ରୋଟେକ୍ ପ୍ରାଭଭେଟ୍ ଲିମିଟେଡ୍ ମିଲ୍ ଦ୍ୱାରା ବର୍ଷ ୨୦୧୨-୧୩ରେ ସର୍ବାଧିକ ୧୧ କୋଟି ୩୧ ଲକ୍ଷ ୩୬ ହଜାର ୨୯୪ ଟଙ୍କାର ଦୁର୍ନୀତି ହୋଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି । ଏଥିପାଇଁ ଭଦ୍ରକର ତତ୍କାଳୀନ ମାର୍କେଟିଂ ଇନ୍ସପେକ୍ଟର କ୍ଷୀରାବ୍ଦରାଜ ମହାପାତ୍ରଙ୍କୁ ଦୋଷୀ ସଜାଯାଇଛି । ସେହିଭଳି ଜଗତସିଂହପୁର ସ୍ଥିତ ଏମ୍ଏସ୍ ଲକ୍ଷ୍ମୀ ରାଇସ ମିଲ୍ ଦ୍ୱାରା ବର୍ଷ ୨୦୧୩-୧୪ରେ ୩୭ ଲକ୍ଷ ୫୦ ହଜାର ୧୨୧ ଟଙ୍କା, ସମ୍ବଲପୁରର ଏମ୍ଏସ୍ ରାଧାରାଣୀ ରାଇସ ମିଲ୍ ଦ୍ୱାରା ବର୍ଷ ୨୦୧୫-୧୬ରେ ୩ ଲକ୍ଷ ୯୮ ହଜାର ୭୯୩, ସୁବର୍ଣ୍ଣପୁରର ଏମ୍ଏସ୍ ମା ରାଇସ ମିଲ୍ ଦ୍ୱାରା ବର୍ଷ ୨୦୦୯-୧୦ରେ ୭୪ ଲକ୍ଷ ୨୯ ହଜାର ୯୬୩ କୋଟି ଟଙ୍କା ଚାଉଳ ବାବଦକୁ ଚଳୁ କରାଯାଇଥିବା ଚିଠିରେ ଦର୍ଶାଯାଇଛି ।
ଏଥିପାଇଁ ତତ୍କାଳୀନ ସପ୍ଲାଇ ଇନ୍ସପେକ୍ଟର ଯଶୋବନ୍ତ ମଲ୍ଲିକ, ଭୂମିକା ରଥ ଏବଂ ଦୀପକ କୁମାର ମାଝୀ ଯଥାକ୍ରମେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୬ଟି ମିଲରେ ଏହି ଚାଉଳ ଦୁର୍ନୀତି ହୋଇଛି । ଯେଉଁଥିରେ ୩ଜଣ ଅଧିକାରୀଙ୍କ ସଂପୃକ୍ତି ରହିଥିବା ଦର୍ଶାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଏହି ମିଲ୍ଗୁଡ଼ିକ ହେଉଛି ଏମ୍ଏସ୍ ଜିଆରଏମ୍ ଫୁଡ୍ ପ୍ରଡକ୍ଟ, ଏମ୍ଏସ୍ ମାହେଶ୍ୱରୀ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍, ଏମ୍ଏସ୍ ଚିଦାନନ୍ଦ ରାଇସ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍, ଏମ୍ଏସ୍ ଶିବାନନ୍ଦ ରାଇସ ମିଲ୍ ପ୍ରାଇଭେଟ୍ ଲିମିଟେଡ୍, ଏମ୍ଏସ୍ ଚୈତନ୍ୟ ରାଇସ ମିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏମ୍ଏସ୍ ଚାରବାହାଲ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି ୬ଟି ମିଲ୍ ଦ୍ୱାରା ୨୦୦୯ରୁ ୨୦୧୨ ମଧ୍ୟରେ ମୋଟ ୧୧ କୋଟି ୫୪ ଲକ୍ଷ ୬୩ ଟଙ୍କା ଚଳୁ କରାଯାଇଛି । ଯେଉଁ ସପ୍ଲାଇ ଇନ୍ସପେକ୍ଟର ମାନେ ଏଥିରେ ମିଲର୍ସମାନଙ୍କୁ ସହଯୋଗ କରିଥିଲେ ସେମାନେ ହେଲେ ଦିବ୍ୟସିଂହ ବଡ଼ମାଳି, ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଚିତ୍ତରଞ୍ଜନ ବେହେରା । ୫ଟି ମିଲ୍ରେ ହୋଇଥିବା ଚାଉଳ ଦୁର୍ନୀତିରେ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ଦୋଷୀ ଭାବେ ଦର୍ଶାଯାଇଛି । ସେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ।