ଶ୍ରୀନଗର: ଜମ୍ମୁ ଓ କଶ୍ମୀରସ୍ଥିତ ମାତା ବୈଷ୍ଣୋ ଦେବୀ ପୀଠରେ ଦଳାଚକଟା ଘଟଣାରେ ୧୨ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ଜଣ ଆହତ ହୋଇଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ,୧୨ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୨୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନାରାୟଣା ହସ୍ପିଟାଲ୍କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଅଛି। ନବବର୍ଷ ଉପଲକ୍ଷେ ତ୍ରିକୁଟ ପର୍ବତରେ ଥିବା ଉପରୋକ୍ତ ଧର୍ମପୀଠ ପରିସରରେ ଜନଗହଳି ପ୍ରବଳ ହେବାରୁ ଦଳାଚକଟା ଘଟିଥିବା ଜଣାପଡ଼ିଛି।
ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ବହୁସଂଖ୍ୟକ ଦର୍ଶନାର୍ଥୀ ବୈଷ୍ଣୋଦେବୀ ଭବନ ମଧ୍ୟକୁ ପ୍ରବେଶ କରିବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ସ୍ଥାନୀୟ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ରାତି ୨ଟାରୁ ୩ଟା ମଧ୍ୟରେ ଉପରୋକ୍ତ ଘଟଣା ଘଟିଛି। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଜନସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିଥିଲା। ମୃତବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଦିଲ୍ଲୀ, ହରିୟାଣା, ପଞ୍ଜାବର ହୋଇଥିବା ବେଳେ ଜଣେ ଜମ୍ମୁ ଓ କଶ୍ମୀରର ବାସିନ୍ଦା ବୋଲି କୁହାଯାଉଛି।