ନୂଆଦିଲ୍ଲୀ : ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ ସଂପ୍ରତି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଉପରେ ଚାଲିଥିବା ଅତ୍ୟାଚାର ଦେଶର ଭାବମୂର୍ତ୍ତିକୁ ଆନ୍ତର୍ଜାତିକସ୍ତରରେ କ୍ଷୁଣ୍ଣ କରୁଛି । ଆମେରିକାର ଖ୍ୟାତନାମା ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଚାଲିଥିବା ଏହି ଧର୍ମାନ୍ଧ କାର୍ଯ୍ୟ ଯୋଗୁଁ ମୋଦୀ ସରକାର ଚାପର ବଶବର୍ତ୍ତୀ ହୋଇଛନ୍ତି । ଏଭଳି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବହୁ ବିଦେଶୀ ରାଷ୍ଟ୍ର ଦାବି କରିଛନ୍ତି । ଚଳିତବର୍ଷ ଡିସେମ୍ବର ୨୦ରୁ ଭାରତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଏଭଳି ଖ୍ରିଷ୍ଟିଆନ୍ ବିରୋଧୀ ଅଭିଯାନର ନେତୃତ୍ୱ ନେଉଛନ୍ତି ।
ହରିୟାଣା ଓ ଆସାମର କେତେକ ସ୍ଥାନରେ ବଡଦିନ ପାଳନକୁ ସ୍ଥାନୀୟ ହିନ୍ଦୁ ସପକ୍ଷବାଦୀ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡିଛି । ଶନିବାର ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଉପଲକ୍ଷେ ପବିତ୍ର ବଡଦିନ ପାଳନ କରାଯାଇଥିବାବେଳେ ହରିୟାଣାର ଅମ୍ବାଲାଠାରେ କେତେକ ଦୁର୍ବୃତ୍ତ ଚର୍ଚ୍ଚରେ ପ୍ରବେଶ କରି ଯୀଶୁଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଉକ୍ତ ଚର୍ଚ୍ଚର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଗତ ଗୁରୁବାର ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ସ୍କୁଲରେ କ୍ରିସ୍ମାସ୍ କାର୍ଣ୍ଣିଭାଲ ପାଳନ କରାଯାଉଥିବାବେଳେ ବଜରଙ୍ଗ ଦଳ ସଦସ୍ୟମାନେ ସେଠାରେ ପହଞ୍ଚି ‘ଜୟ ଶ୍ରୀରାମ’ ଧ୍ୱନି ଦେବାସହତି ପିଲାଙ୍କୁ କାର୍ଣ୍ଣିଭାଲରେ ନମିଶିବାକୁ ଚେତାବନୀ ଦେଇଥିଲେ । ଅପରପକ୍ଷରେ ଆସାମର ସିଲ୍ଚର ସହରରେ ବଜରଙ୍ଗ ଦଳର କେତେକ ସଦସ୍ୟ ଶନିବାର ଏକ ଚର୍ଚ୍ଚରେ ପ୍ରବେଶ କରି ବଡଦିନ ପାଳନ ଉତ୍ସବ ବାତିଲ କରିବାକୁ ଧମକ ଦେଇଥିବା ଜଣାପଡିଛି ।
ତେବେ ଏ ଘଟଣାକୁ ନେଇ କୌଣସି ଏତଲା ଦିଆଯାଇନଥିବାରୁ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । ମଧ୍ୟପ୍ରଦେଶର ଇନ୍ଦୋର ଏବଂ କର୍ଣ୍ଣାଟକର କେତେକ ସ୍ଥାନରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ଏଥିରେ ଭୟଭୀତ ହୋଇ ଖ୍ରିଷ୍ଟିଆନ୍ ସଂପ୍ରଦାୟ ବର୍ତ୍ତମାନ ଲୁଚିଛପି ନିଜର ଧାର୍ମିକ ଭାବନାକୁ ପାଳନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଇନ୍ଦୋରସ୍ଥିତ ଖ୍ରିଷ୍ଟିଆନ୍ ସେଣ୍ଟରର ପାଷ୍ଟର ମନୀଷ ଡେଭିଡ୍ ଅଭିଯୋଗ କରିଛନ୍ତି ।