ଭୁବନେଶ୍ୱର: ରାଜଧାନୀରେ ଦୁଷ୍କର୍ମ, ହତ୍ୟା, ଲୁଟ୍ପାଟ ଭଳି ଅପରାଧ ଘଟୁଛି । ଏହାକୁ ରୋକିବା ଓ ଦମନ କରିବା ପାଇଁ ପୁଲିସ ବିଭିନ୍ନ ପ୍ରକାର କୌଶଳ ଆପଣାଉଛି । ତଥାପି ଲୁଟ୍ପାଟ, ଚୋରି ଭଳି ଛୋଟମୋଟ୍ ଅପରାଧ ବଢ଼ିବାରେ ଲାଗିଛି । ଗତ ୩ବର୍ଷ ତୁଳନାରେ ୨୦୨୧ରେ ରାଜଧାନୀରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ୨୦୧୯ରେ ୮୨୨୯ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ମୋଟ୍ ୭୬୭୪ଟି ମାମଲା ରୁଜୁ ହୋଇଥିଲା । ହେଲେ ୨୦୨୧ ନଭେମ୍ବର ଶେଷ ସୁଦ୍ଧା ମୋଟ୍ ୮୪୭୩ଟି ଅପରାଧୀକ ମାମଲା ରୁଜୁ ହୋଇଛି । ଏହି ତଥ୍ୟକୁ ଅନୁଧ୍ୟାନ କଲେ ରାଜଧାନୀରେ ୨୦୨୧ରେ ଅପରାଧ ବଢିଥିବା ସ୍ପଷ୍ଟ ହୋଇଛି ।
ସେହିପରି ୨୦୨୧ରେ ୫୩୯୮ଟି ମାମଲାର ତଦନ୍ତ ସରିଥିବାବେଳେ ଆହୁରି ୩୦୭୫ଟି ମାମଲା ପଡ଼ିରହିଥିବା କମିଶନରେଟ୍ ପୁଲିସର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ଗୋଟେପଟେ ମାମଲା ବଢୁଥିବାବେଳେ ଅନ୍ୟପକ୍ଷେ ପୁଲିସ ତଦନ୍ତ କରିବାରେ ପଛୁଆ ରହିଯାଇଛି ।
ରିପୋର୍ଟ ଅନୁସାରେ, ୨୦୨୧ ଆରମ୍ଭରୁ ନଭେମ୍ବର ଶେଷ ସୁଦ୍ଧା ରାଜଧାନୀରେ ମୋଟ୍ ୩୨ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବାବେଳେ ୯ଟିର ତଦନ୍ତ ସରିଥିବା ପୁଲିସ କହିଛି । ସେହିପରି ୯ଟି ଡକାୟତିରୁ ୪ଟି ତଦନ୍ତ ସରିଛି, ୫୪୭ଟି ଲୁଟ୍ ମାମଲାରୁ ୩୯୩ର ତଦନ୍ତ ସରିଛି, ୪୨୬ଟି ସିନ୍ଧିଚୋରି ମାମଲାରୁ ୨୮୩ଟି ତଦନ୍ତ ସରିଛି, ୧୮୮୦ଟି ଚୋରି ମାମଲାରୁ ୧୩୫୫ର ତଦନ୍ତ ସରିଛି, ୭୯୧ଟି ଠକେଇ ମାମଲାରୁ ୨୫୪ଟିର ତଦନ୍ତ ସରିଛି, ୭୫ଟି ଦଙ୍ଗା ମାମଲାରୁ ୩୦ଟି ତଦନ୍ତ ସରିଛି, ୧୦୮ଟି ଦୁଷ୍କର୍ମ ମାମଲାରୁ ୭୭ଟିର ତଦନ୍ତ ସରିଛି, ୫୩୨ଟି ସଡ଼କ ଦୁର୍ଘଟଣାରୁ ୪୪୦ଟିର ତଦନ୍ତ ସରିଛି, ଅନ୍ୟାନ୍ୟ ୪୦୭୫ଟି ମାମଲାରୁ ୨୫୫୩ଟିର ତଦନ୍ତ ସରିଥିବା ରିପୋର୍ଟରୁ ଜଣାପଡ଼ିଛି । ଜଟଣୀ ଥାନାରେ ସର୍ବାଧିକ ୪ଟି ଲେଖାଏ ହତ୍ୟା ଓ ଡକାୟତି ମାମଲା ରୁଜୁ ହୋଇଥିବାବେଳେ ଲିଙ୍ଗରାଜ, ବଡ଼ଗଡ଼, ବାଲିଅନ୍ତା ଓ ନନ୍ଦନକାନନ ଆଦି ଥାନାରେ ଏହି ସମ୍ପର୍କିତ କୌଣସି ମାମଲା ରୁଜୁ ହୋଇନାହିଁ ।
ମହିଳା ଥାନାରେ ସର୍ବାଧିକ ୧୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ କେତେକ ଥାନାରେ ଏହି ସଂକ୍ରାନ୍ତୀୟ କୌଣସି ମାମଲା ରୁଜୁ ହୋଇନାହିଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଚୋରି, ଠକେଇ ଓ ସଡ଼କ ଜନିତ ଦୁର୍ଘଟଣା ବଢ଼ିଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭିନ୍ନ ପ୍ରକାରର ଚୋରିରେ ଥିବା ଅପରାଧୀମାନଙ୍କୁ ପିଓପିଡ଼ି ଟିମ୍-୬୦ ତଥା ଥାନାର ଅଫିସର୍ ଓ ଅନ୍ୟ କର୍ମଚାରୀଙ୍କ ମିଳିତ ପ୍ରୟାସ କ୍ରମେ ସେମାନଙ୍କୁ ଧରିବା ସହ ମୋବାଇଲ, ଗାଡ଼ି ଓ ଅନ୍ୟାନ୍ୟ ଚୋରି ଯାଇଥିବା ସାମଗ୍ରୀ ଜବତ କରାଯାଇ କିଛି ଅଭିଯୋଗକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ନୂତନ ପ୍ରଣିତ ଆଇନ୍ ଅନୁସାରେ ନିୟମ ଉଲଙ୍ଘନକାରୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଉଚିତ୍ ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ବକେୟା ମୋକଦ୍ଦମାଗୁଡିକର ତଦନ୍ତ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରି କୋର୍ଟରେ ଦାଖଲ କରିବାକୁ ଉଦ୍ୟମ ଜାରି ରହିଛି ।