ଢେଙ୍କାନାଳ: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ଢେଙ୍କାନାଳରେ ଚଢଉ କରି ୧କିଲୋ ୯୦ଗ୍ରାମ ବ୍ରାଉନସୁଗର ଜବତ କରିଛି । ଯାହାର ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଦ୍ୱୟ ହେଲେ ଢେଙ୍କାନାଳ ମୋଟାଙ୍ଗା ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର ରାକେଶ କୁମାର ସାହୁ ଓରଫ କାଳୁ ଏବଂ ସଦର ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମର ସନ୍ତୋଷ କୁମାର ସାହୁ ଓରଫ ସନ୍ତ । ଏନେଇ ଏସ୍ଟିଏଫ୍ ପୁଲିସ ଏକ ମାମଲା ରୁଜୁ କରି ମଙ୍ଗଳବାର ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି ।
ଢେଙ୍କାନାଳ ଅଞ୍ଚଳରେ ବେଧଡ଼କ ଭାବେ ବ୍ରାଉନସୁଗର କାରବାର ସମ୍ପର୍କରେ ଖବରପାଇ ଏସ୍ଟିଏଫ୍ ଛାନ୍ଭିନ୍ ଆରମ୍ଭ କରିଥିଲା । ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ସନ୍ତୋଷ ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ଢେଙ୍କାନାଳରେ ବିକ୍ରି କରିଥାଏ । ମଙ୍ଗଳବାର ସନ୍ତୋଷ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବ୍ରାଉନସୁଗର ନେଇ ଘଟିପିରି ଅଞ୍ଚଳରେ ଅଭିଯୁକ୍ତ ରାକେଶ ଓ ସୁଶାନ୍ତ ନାମକ ଜଣେ ଯୁବକଙ୍କୁ ହସ୍ତାନ୍ତର କରୁଥିବାବେଳେ ଏସ୍ଟିଏଫ୍ ଚଢଉ କରିଥିଲା । ଏହି ସମୟରେ ସୁଶାନ୍ତ ଘଟଣାସ୍ଥଳରୁ ଖସି ପଳାଇଥିବାବେଳେ ରାକେଶ ଓ ସନ୍ତୋଷ ଧରାପଡ଼ିଯାଇଥିଲେ ।