20.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା : ଜମ୍ମୁକୁ ୬, କଶ୍ମୀରକୁ ୧ ଅତିରିକ୍ତ ବିଧାନସଭା...

ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା : ଜମ୍ମୁକୁ ୬, କଶ୍ମୀରକୁ ୧ ଅତିରିକ୍ତ ବିଧାନସଭା ଆସନ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତଦନୁଯାୟୀ ଜମ୍ମୁ ବିଧାନସଭା ପାଇଁ ୬ଟି ଅତିରିକ୍ତ ବିଧାନସଭା ଆସନ ସୁପାରିସ କରାଯାଇଥିବାବେଳେ କଶ୍ମୀର ଉପତ୍ୟକା ପାଇଁ ଗୋଟିଏ ଅତିରିକ୍ତ ଆସନର ବ୍ୟବସ୍ଥା କରାଯାଇଛି । ସୋମବାର ନୂଆଦିଲ୍ଲୀଠାରେ ସୀମା ପୁନଃ ନିର୍ଦ୍ଧାରଣ କମିଶନଙ୍କ ବୈଠକ ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଜମ୍ମୁ-କଶ୍ମୀରର ୫ ଜଣ ସାଂସଦ ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରେ ନ୍ୟାସନାଲ କନ୍‌ଫରେନ୍ସର ଫାରୁକ ଅବଦୁଲ୍ଲା, ଆକ୍‌ବର ଲୋନ୍‌, ହସ୍‌ନୈନ୍ ମାସୁଦି ଓ ବିଜେପିର ଜିତେନ୍ଦ୍ର ସିଂହ, ଯୁଗଳ କିଶୋର ଶର୍ମା ଅନ୍ୟତମ ।

୬ଟି ଅତିରିକ୍ତ ଆସନ ଗଠନ କରାଗଲେ, ଜମ୍ମୁ ଅଞ୍ଚଳରେ ବିଧାନସଭା ଆସନ ସଂଖ୍ୟା ୪୩ ଏବଂ କଶ୍ମୀର ଉପତ୍ୟକାରେ ଏହା ୪୭କୁ ବୃଦ୍ଧି ପାଇବ । ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ସାଂସଦମାନେ କମିଶନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । କମିଶନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ମାନଦଣ୍ଡଗୁଡିକରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ କମିଶନଙ୍କ ଏତାଦୃଶ ପ୍ରସ୍ତାବକୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

୨୦୧୧ ଜନଗଣନାକୁ ଆଧାର କରି ଜମ୍ମୁକୁ ୬ ଏବଂ କଶ୍ମୀର ଉପତ୍ୟକାକୁ ଗୋଟିଏ ଅତିରିକ୍ତ ଆସନ ବଣ୍ଟନ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ସେ କହିଛନ୍ତି । କମିଶନଙ୍କ ଏଭଳି ପ୍ରସ୍ତାବରେ ବିଜେପିକୁ ଫାଇଦା ହେବ ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନମଣ୍ଡୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ବୈଜ୍ଞାନିକ ପଦ୍ଧତି ପରିବର୍ତ୍ତେ ରାଜନୈତିକ ପଦ୍ଧତି ଅବଲମ୍ବନ କରାଯାଇଛି ବୋଲି ଓମାର ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଓମାରଙ୍କ ସହ ସ୍ୱର ମିଳାଇଛନ୍ତି ଅନ୍ୟଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି । ଜମ୍ମୁକୁ ୬ ଓ କଶ୍ମୀରକୁ ମାତ୍ର ଗୋଟିଏ ଅତିରିକ୍ତ ଆସନ ପ୍ରଦାନ କରି କମିଶନ କଶ୍ମୀରବାସୀଙ୍କ ମଧ୍ୟରେ ମନୋମାଳିନ୍ୟ ଘଟାଇଛନ୍ତି ବୋଲି ମେହବୁବା ଅଭିଯୋଗ କରିଛନ୍ତି ।

କଶ୍ମୀରବାସୀଙ୍କ ଧର୍ମ ଆଧାରରେ ବିଭାଜିତ କରି ବିଜେପି ତାହାର ରାଜନୈତିକ ଲକ୍ଷ୍ୟ ପୂରଣ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। କମିଶନଙ୍କ ପ୍ରସ୍ତାବକୁ ଜମ୍ମୁ-କଶ୍ମୀରର ଆଞ୍ଚଳିକ ଦଳ ‘ଜମ୍ମୁ-କଶ୍ମୀର ଅପ୍‌ନି ପାର୍ଟି’ ମଧ୍ୟ ଖାରଜ କରିଛି । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅପ୍‌ନି ପାର୍ଟି ପକ୍ଷରୁ  ଦାବି କରାଯାଇଛି । ସାଧାରଣତଃ ଜନଗଣନାକୁ ଆଧାର କରି କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନମଣ୍ଡଳୀ (ବିଧାନସଭା ଓ ଲୋକସଭା) ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଡିଲିମିଟେସନ କମିଶନଙ୍କ ଦ୍ୱାରା କରାଯାଇଥାଏ ।

କମିଶନଙ୍କ ନିଷ୍ପତ୍ତି ଚୂଡାନ୍ତ ହୋଇଥିବାବେଳେ ଏହାକୁ ବିରୋଧ କରି ଆଇନର ସହାୟତା ନେଇହେବ ନାହିଁ । ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର ଓ ଲଦାଖ)ରେ ବିଭକ୍ତ କରାଯାଇଥିଲା । ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ୨୦୨୦ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ଜମ୍ମୁ-କଶ୍ମୀରର ନିର୍ବାଚନ କମିଶନର କେ.କେ.ଶର୍ମା ଏକ୍ସ-ଅଫିସିଓ ସଦସ୍ୟ ନିଯୁକ୍ତ ହୋଇଥିବାବେଳେ ଫାରୁକ ଅବଦୁଲ୍ଲା, ମହମ୍ମଦ ଆକବର ଲୋନ୍‌, ହସ୍‌ନୈନ୍ ମାସୁଦି, ଜିତେନ୍ଦ୍ର ସିଂହ ଓ ଯୁଗଳ କିଶୋର ଶର୍ମାଙ୍କୁ ସହଯୋଗୀ ସଦସ୍ୟ ପଦ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking