ନୂଆଦିଲ୍ଲୀ : ମାନବିକତା ଦୃଷ୍ଟିକୋଣରୁ ତାଲିବାନ ଶାସନାଧୀନ ଆଫ୍ଗାନିସ୍ତାନକୁ ତୁରନ୍ତ ସହାୟତାର ହାତ ବଢାଇବାକୁ ଭାରତ ବ୍ୟତୀତ ୫ କେନ୍ଦ୍ର ଏସୀୟ ରାଷ୍ଟ୍ର ସମ୍ମତି ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରବିବାର ନୂଆଦିଲ୍ଲୀରେ ଭାରତ ସମେତ ୫ କେନ୍ଦ୍ର ଏସୀୟ ରାଷ୍ଟ୍ରର ବିଦେଶମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତର ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ବୈଠକର ନେତୃତ୍ୱ ନେଇଥିବାବେଳେ ଏଥିରେ କାଜାଖ୍ସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍ବେକିସ୍ତାନର ବିଦେଶମନ୍ତ୍ରୀ ଅଂଶଗ୍ରହଣ କରିଥିଲେ । ଭାରତ ଓ କେନ୍ଦ୍ର ଏସୀୟ ରାଷ୍ଟ୍ର ମଧ୍ୟରେ ଏଭଳି ବୈଠକ ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି । ଯୁଦ୍ଧବିଧ୍ୱସ୍ତ ଆଫ୍ଗାନିସ୍ତାନର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖି କିଭଳି ସହାୟତା ପ୍ରଦାନ କରାଯିବ, ସେ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଫ୍ଗାନିସ୍ତାନରେ କିପରି ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସ୍ଥାୟୀ ସରକାର ଗଠନ କରାଯିବ, ସେଥିପାଇଁ ଏହି ରାଷ୍ଟ୍ରମାନେ ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ପୁନଶ୍ଚ ଆଫ୍ଗାନିସ୍ତାନ ମାଟିକୁ ଆତଙ୍କବାଦୀମାନେ ଯେପରି ବ୍ୟବହାର ନକରନ୍ତି, ସେଥିପ୍ରତି ମଧ୍ୟ ସତର୍କ ଦୃଷ୍ଟି ରଖାଯିବ ବୋଲି ବୈଠକ ପରେ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି । ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘର ପ୍ରସ୍ତାବ ୨୫୯୩କୁ କଡାକଡିଭାବେ କାର୍ଯ୍ୟକାରୀ କରିବାକୁ ସବୁ ବିଦେଶମନ୍ତ୍ରୀ ଏକମତ ହୋଇଛନ୍ତି । ଜାତିସଂଘର ଏହି ପ୍ରସ୍ତାବ ଅନୁଯାୟୀ ଆଫ୍ଗାନିସ୍ତାନ ମାଟିରେ କୌଣସି ପ୍ରକାର ଆତଙ୍କବାଦୀ ଯୋଜନା, ପ୍ରଶିକ୍ଷଣ କିମ୍ବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାଭଳି କାର୍ଯ୍ୟକୁ ସୁଯୋଗ ଦିଆଯିବ ନାହିଁ । ଆଫ୍ଗାନିସ୍ତାନ ପ୍ରସଙ୍ଗକୁ ଏହି ରାଷ୍ଟ୍ରମାନେ ସମୟକ୍ରମେ ସମୀକ୍ଷା କରିବା ସହ ପରବର୍ତ୍ତୀ କାର୍ଯର୍୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ବର୍ତ୍ତମାନ ଆଫ୍ଗାନିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ଘୋର ଖାଦ୍ୟ ସଙ୍କଟ ଦେଖାଦେଇଛି । ଲୋକେ ତାଲିବାନୀଙ୍କ ଭୟରେ ଦେଶଛାଡି ଯିବାକୁ ପ୍ରସ୍ତୁତ ହେଉଥିବାରୁ ସେଠାରେ ସାମାଜିକ ଓ ରାଜନୈତିକ ଅବସ୍ଥା ଅଚଳ ହୋଇପଡିଲାଣି । ଚଳିତବର୍ଷ ଅଗଷ୍ଟ ୧୫ରୁ ତାଲିବାନ ସଂଗଠନ କାବୁଲ ଅକ୍ତିଆର କରିସାରିଥିଲେ ସୁଦ୍ଧା ସେଠାରେ ଘୋଷିତ କାମଚଳା ସରକାର ଏପର୍ଯ୍ୟନ୍ତ ଶପଥଗ୍ରହଣ କରିପାରିନାହିଁ । ପୁନଶ୍ଚ କାଁଭାଁ ଦେଶକୁ ଛାଡିଦେଲେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଆଫ୍ଗାନିସ୍ତାନର ତାଲିବାନ ସରକାରକୁ ସ୍ୱୀକୃତି ମଧ୍ୟ ଦେଇନାହାନ୍ତି । ତାଲିବାନ ସଂଗଠନର ଜିଦ୍ଖୋର ମନୋବୃତ୍ତି ଯୋଗୁଁ ସେଠାକାର ଜନସାଧାରଣଙ୍କ ଜୀବନ ଯେପରି ବିପର୍ଯ୍ୟସ୍ତ ହୋଇନପଡେ, ସେଥିପ୍ରତି ଯତ୍ନବାନ ହେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଫ୍ଗାନିସ୍ତାନରେ ମହିଳାଙ୍କ ଅଧିକାର ସମେତ ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି ।