ଭୁବନେଶ୍ବର: ଗତ ରାତିରେ ରାଜ୍ୟର ୮ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡିଗ୍ରି ସେଲସିଅସ୍ ତଳେ ଥିବାର ସୂଚନା ମିଳିଛି। ୬.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଅନ୍ୟ ଯେଉଁ ସହରର ତାପମାତ୍ରା ୧୧ ଡିଗ୍ରି ସେଲସିଅସ୍ ତଳେ ରହିଥିଲା, ସେୁଡ଼ିକ ହେଲା ଫୁଲବାଣୀ (୭.୫), କୋରାପୁଟ (୯), ଟିଟଲାଗଡ (୯.୩), ଝାରସୁଗୁଡ଼ା (୯.୬), କେନ୍ଦୁଝର (୯.୬), ସୁନ୍ଦରଗଡ (୧୦) ଓ ଭବାନୀପାଟଣା (୧୦)। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ଲଗାତାର ପ୍ରବାହିତ ହେବାରେ ଲାଗିଛି। ଏହି ବାୟୁ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେଉଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜିଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଉଥିଲା।
ବୁଧବାର ରାତିରେ ରାଜ୍ୟର ୨୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରି ତଳେ ରେକର୍ଡ ହୋଇଥିଲା। ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ର କୋପ ଆହୁରି ବଢ଼ିବ। ଗୁରୁବାର ସନ୍ଧ୍ୟାରୁ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି। ସନ୍ଧ୍ୟା ନଇଁବା ପରେ ବଜାରଘାଟ ଜନଶୂନ୍ୟ ହୋଇଯାଇଛି।
ସେହିପରି ଘୁ.ଉଦୟଗିରିରେ ମଧ୍ୟ ଗତକାଲି ପାରଦ ଖସି ୭.୮ ଡିଗ୍ରି ସେଲ୍ସିୟସ୍ରେ ପହଞ୍ଚିଥିଲା। ଫଳରେ ସାରା ଅଞ୍ଚଳରେ ଶୀତର ପ୍ରକୋପ ଲାଗି ରହିଛି। ସକାଳ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ୁଥିବାରୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ। ଯାନବାହନ ଚଳାଚଳ କଷ୍ଟକର ହେଉଛି। ଶୀତ ଲହରିରୁ ରକ୍ଷା ପାଇବାକୁ ଲୋକେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି।