କରାଚି : ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ର ତିନି ଖେଳାଳି ଓ ଦୁଇ ଜଣ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନର ପାକିସ୍ତାନ ଗସ୍ତ ବିପଦରେ ପଡ଼ିଛି । ଟିମ୍ର ୬ଜଣ ଖେଳାଳି କରୋନା ସଂକ୍ରମିତ ହେବା ଫଳରେ ଆଗାମୀ ମ୍ୟାଚ୍ଗୁଡ଼ିକ ରଦ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପାକିିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା କରାଯାଇଥିବା ସଦ୍ୟ କରୋନା ଟେଷ୍ଟରେ ୱିକେଟ୍କିପର୍ ଶାଇ ହୋପ୍, ବାମହାତୀ ସ୍ପିନର୍ ଅକିଲ୍ ହୁସେନ୍ ଓ ଅଲ୍ରାଉଣ୍ଡର୍ ଜଷ୍ଟିନ୍ ଗ୍ରୀଭ୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସହାୟକ କୋଚ୍ ରୋଡି ଏଷ୍ଟଭିକ୍ ଓ ଟିମ୍ ଡାକ୍ତର ଅକ୍ଷୟ ମାନସିଂହ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ସଂକ୍ରମିତ ୩ ଖେଳାଳି ସିରିଜ୍ର ଶେଷ ଟି-୨୦ରେ ଖେଳିପାରିବେ ନାହିଁ ଏବଂ ଦୁଇ ସପୋର୍ଟ ଷ୍ଟାଫ୍ଙ୍କ ସହ ସେମାନେ ମଧ୍ୟ କ୍ୱାରେଣ୍ଟାଇନ୍ରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିରୀକ୍ଷଣରେ ରହିବେ ।
ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପର୍ଯ୍ୟନ୍ତ ନଚେତ୍ ୧୦ ଦିନ ପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ୍ ନିୟମ ମାନିବାକୁ ପଡ଼ିବ । ପାକିସ୍ତାନ ଗସ୍ତରେ ଆସିଥିବା ୱେଷ୍ଟଇଣ୍ଡିଜ୍ ଟିମ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ବେଳେ ଅଙ୍ଗୁଳିରେ ଆଘାତ କାରଣରୁ ଡେଭନ୍ ଥୋମାସ୍ ବାଦ୍ ପଡ଼ିସାରିଛନ୍ତି । ଏପରି ସ୍ଥିତିରେ ଉଭୟ ବୋର୍ଡ ଅଧିକାରୀ ଗୁରୁବାର ବୈଠକ କରି ଚଳିତ ସିରିଜ୍ର ଭବିଷ୍ୟତ ଉପରେ ନିଷ୍ପତ୍ତି ନେବେ ।