ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ଥିବା ହରିଣ ପାର୍କରେ ହରିଣଙ୍କୁ ଖାଦ୍ୟ ଯୋଗାଇଦେବା ପାଇ ନିୟୋଜିତ ଶ୍ରମିକ ମାନେ ୫ମାସ ହେଲା ପାଉଣା ପାଇନଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ହରିଶଙ୍କରରେ ଜଙ୍ଗଲ ବିଭାଗ ତରଫରୁ ହରିଣ ପାର୍କ ରହିଥିବା ବେଳେ ଏଠାରେ ୪୧୮ ଟି ହରିଣ ରହୁଛନ୍ତି । ହରିଣ ମାନଙ୍କୁ ଡାଳ, ପତ୍ର ଆଦି ଖାଦ୍ୟ ଯୋଗାଇଦେବା ପାଇ ୮ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ହେଲେ ଏହି ଶ୍ରମିକମାନଙ୍କୁ ଗତ ଜୁଲାଇ ମାସରୁ ଦରମା ମିଳିନଥିବା ଜଣାଯାଇଛି । ଉକ୍ତ ଶ୍ରମିକ ମାନେ ହେଲେ ଟିକେଶ୍ୱର ଭୁଏ, ନିଲାମ୍ବର ବରିହା, ମଦନ ଭୁଏ, ଚତୁର୍ଭୁଜ ବାଗ, ତ୍ରିଲୋଚନ ପାଣ୍ଡେ,ସୁରେଶ ମାଝୀ,ବେଲାର ବରିହା,ଧନେଶ୍ୱର ମାଝୀ ପାଉଣା ମିଳିନଥିବା ଅଭିଯୋଗ କରିଛନ୍ତି ।
ଏନେଇ ହରିଣ ପାର୍କ ଦାୟିତ୍ୱରେ ଥିବା ହରିଶଙ୍କରରେ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଶ୍ରମିକମାନେ ମଜୁରୀ ପାଇନଥିବା ଘଟଣାକୁ ସ୍ୱୀକାର କରିବା ସହ ବିଭାଗୀୟ ଅର୍ଥ ଯୋଗାଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଶ୍ରମିକମାନେ ବିନା ପାଉଣାରେ କାମ କରିବାକୁ ଅକ୍ଷମ ପ୍ରକାଶ କରିବାରୁ ଅନ୍ୟ ଶ୍ରମିକ ମାନଙ୍କୁ ଲଗାଇ ହରିଣମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବା କହିଛନ୍ତି । ଘଟଣା ସମ୍ପର୍କରେ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାରଙ୍କୁ ପଚାରିବାରୁ ହରିଣ ପାର୍କ ପାଇଁ କିଛିଦିନ ହେଲା ଆଲର୍ଟମେଣ୍ଟ ବନ୍ଦ ଥିବାରୁ ଶ୍ରମିକଙ୍କ ପାଉଣା ଅନ୍ୟ ଯୋଜନାରୁ ବ୍ୟବସ୍ଥା କରି ସପ୍ତାହକ ମଧ୍ୟରେ ଦିଆଯିବ ବୋଲି କହିଛନ୍ତି ।