ଭୁବନେଶ୍ୱର: ୫୧୧.୧୯ କୋଟି ବ୍ୟୟରେ ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ମଞ୍ଜୁରୀ ଦିଆଯାଇଛି । ଏହାଦ୍ୱାରା ୬୪୦୨ରୁ ଅଧିକ କର୍ମନିଯୁକ୍ତିି ସୃଷ୍ଟିହେବ । ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ଉପରେ ମୋହର ଲାଗିଛି । ୨୩ ଦିନ ତଳେ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ୧୮୭୨.୧୧ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଯେଉଁଥିରେ ୩୪୬୧ କର୍ମନିଯୁକ୍ତି ସମ୍ଭାବନା ରହିଛି । ତେବେ ୨୩ ଦିନରେ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ମୋଟ୍ ୨୩୮୩.୩୦ କୋଟି ଟଙ୍କା ପ୍ରକଳ୍ପକୁ ଅନୁମୋଦନ ଦେଇଥିବାବେଳେ ୯୮୬୩ ନିଯୁକ୍ତି ସମ୍ଭାବନା ସୃଷ୍ଟିହୋଇଛି ।
ବୈଠକରେ ମଞ୍ଜୁରୀ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ବୟନ, ପୋଷାକ, କାଗଜ ଉତ୍ପାଦ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଇସ୍ପାତ୍ ଡାଉନ୍ଷ୍ଟ୍ରିମ୍ ଏବଂ ଆଇରନ୍ ଓର୍ ବେନିଫିକେସନ୍ କ୍ଷେତ୍ରରୁ ଆସିଥିବା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ପ୍ରକଳ୍ପଗୁଡ଼ିକ ହେଲା- ୫୧ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଠାରେ ଅମ୍ବାଟ୍ଟୁର ଫ୍ୟାସନ୍ସ ଏକ ପୁରୁଷ ଏବଂ ମହିଳା ପୋଷାକ ବିନିର୍ମାଣ କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିରେ ୪୭୦୦ରୁ ଅଧିକ ନିଯୁକ୍ତି ପାଇବେ । ସେହିପରି ଖୋର୍ଦ୍ଧା ଜିଲ୍ଲା ଛତାବର ଶିଳ୍ପାଞ୍ଚଳରେ ୫୨.୬୨ କୋଟି ନିବେଶ କରି ୱାଇଲ୍ଡ୍ ଲୋଟସ୍ ଫ୍ୟାସନ୍ସ ପକ୍ଷରୁ ଏକ ଗାର୍ମେଣ୍ଟ୍ (ପୋଷାକ) ବିନିର୍ମାଣ ୟୁନିଟ୍ ସ୍ଥାପନ କରାଯିବ । ଏହାଫଳରେ ୫୬୦ ନିଯୁକ୍ତି ସୁଯୋଗ ପାଇପାରିବେ । ଏହାବାଦ୍ ବାଲେଶ୍ୱର ଜିଲ୍ଲାରେ ୧୨୦ କୋଟି ଟଙ୍କା ବିନିଯୋଗ କରି ଦୈନିକ ୩୦୦ଟନ୍ କ୍ଷମତା ବିଶିଷ୍ଟ ଏକ ନୂଆ କ୍ରାଫ୍ଟ ପେପର୍ ୟୁନିଟ୍ ସ୍ଥାପନ କରିବ ପାୟୋନିର ପ୍ୟାକେଜିଂ ପ୍ରା.ଲିଃର ସହାୟକ କମ୍ପାନୀ ବନ୍ସୀ ଲକ୍ଷ୍ମୀ ପ୍ରା.ଲିଃ । ଯେଉଁଥିରେ ୭୫୦ରୁ ଅଧିକ ନିଯୁକ୍ତି ପାଇବେ ।
ସେହିଭଳି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସିଲ୍) ୫୨.୨୮ କୋଟି ଟଙ୍କା ନିବେଶରେ ବୌଦ୍ଧ ଜିଲ୍ଲାରେ ଏକ ୧୦ ମେଗାୱାଟ୍ର ସୋଲାର ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫ରୁ ଅଧିକ ନିଯୁକ୍ତି ସମ୍ଭାବନା ଅଛି । ଏତଦ୍ଭିନ୍ନ ୬୩.୩୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଚୀ ରିସର୍ଟ ଏକ ୪ ତାରକା ହୋଟେଲ୍ ନିର୍ମାଣ କରିବ, ଏଥିରେ ୮୫ରୁ ଅଧିକ ନିଯୁକ୍ତି ପାଇବେ। ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ୫୧.୯୯ କୋଟି ନିବେଶରେ ସ୍ୟାଗ୍ମା ଟ୍ୟୁବ୍ସ ଆଣ୍ଡ୍ ପାଇପ୍ସ ପକ୍ଷରୁ ଏକ ୫ ଲକ୍ଷ ଏମ୍ଟିର ଟ୍ୟୁବ୍ ଏବଂ ପାଇପ୍ ବିନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ୬୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ ।
କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଠାରେ ପିଟିସିଏଲ୍ ଇନ୍ଫ୍ରା ତା’ର ଆଇରନ୍ ଓର୍ ବେନିଫିକେସନ୍ ପ୍ଲାଣ୍ଟ ୧.୫ ଏମ୍ଟିପିଏରୁ ୨.୫ ଏମ୍ଟିପିଏକୁ ସମ୍ପ୍ରସାରଣ କରିବ । ଏଥିରେ ୧୨୦କୋଟି ଟଙ୍କା ବିନିଯୋଗ ହେବା ସହ ୧୮୨ରୁ ଅଧିକ ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।
ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପର ନିର୍ମାଣ ଏବଂ କାର୍ଯ୍ୟକ୍ଷମ ଉପରେ ନଜର ରଖିବାକୁ ମୁଖ୍ୟ ସଚିବ ଇପିକଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟ ସଚିବ ଶିଳ୍ପଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ପିକେ ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଏସିଏସ୍ ଡ. ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଜଳସମ୍ପଦ ପ୍ରମୁଖ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ୍ ଏବଂ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଅଶୋକ ମୀନା, ଇଡ୍କୋ ସିଏମ୍ଡି କ୍ରିଷନ୍ କୁମାର, ଇପିକଲ ଏମ୍ଡି ଭୂପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।