ନୂଆଦିଲ୍ଲୀ: ‘ଜି ୨୦’ ରାଷ୍ଟ୍ର ସମୂହ ଉପରେ ଜଳବାୟୁର ପ୍ରଭାବ ଅନୁଭୂତ ହେଲାଣି । ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ‘ଜି ୨୦ ରାଷ୍ଟ୍ର ସମୂହରେ ଅଂଶୁଘାତଜନିତ ମୃତ୍ୟୁ ୧୫% ବୃଦ୍ଧି ପାଇବା ସହ ବନାଗ୍ନି ଯୋଗୁଁ ଜଙ୍ଗଲ ପୋଡ଼ି ଛାରଖାର ହୋଇଗଲାଣି । ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ମଧୁରଜଳ ହ୍ରାସ ପାଇବାରେ ଲାଗିଛି । ‘ସବୁଜ ଗୃହ ବାଷ୍ପ’ ନିର୍ଗମନ ମାତ୍ରା ହ୍ରାସ ନ ପାଇଲେ ୩୦ ବର୍ଷ ମଧ୍ୟରେ ବିଶ୍ୱର ସବୁଠୁ ସମୃଦ୍ଧ ଅର୍ଥନୀତି ଉପରେ ଜଳବାୟୁ ପରିବର୍ତ୍ତନ ଜନିତ କୁ-ପ୍ରଭାବ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି । ଯଦି ‘କାର୍ବନ୍’ ନିର୍ଗମନ ଉଚ୍ଚ ରହେ ଏବଂ ଏ ଶତାବ୍ଦୀ ଶେଷ ସୁଦ୍ଧା ବୈଶ୍ୱିକ ତାପମାତ୍ରା ୪ ଡିଗ୍ରୀ ସେଲିସିୟସ୍ ବୃଦ୍ଧି ପାଏ, ତେବେ ୨୦୩୬ରୁ ୨୦୬୫ ସୁଦ୍ଧା ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ ଗୁଣ ଅଧିକ ରହିବା ସମ୍ଭାବନା ଥିବା ଇଟାଲିର ଏକ ଗବେଷଣା ସଂସ୍ଥାନ ପକ୍ଷରୁ ପ୍ରକାଶ ପାଇଛି ।
‘ଇଣ୍ଟର୍ ଗଭର୍ଣ୍ଣମେଣ୍ଟାଲ୍ ପାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ ଅଧୀନରେ କାମ କରୁଥିବା ଇଟାଲୀର ଏହି ସଂସ୍ଥାନର ୪୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ‘ୟୁରୋ-ମେଡିଟେରିୟାନ୍ ସେଣ୍ଟର୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ର ଜଳବାୟୁ ଉପରେ ଗବେଷଣା କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ।
ଜଳବାୟୁ ବୈଜ୍ଞାନିକଙ୍କ ମତରେ ଭାରତରେ କେତେଗୁଡ଼ିଏ ଜଳବାୟୁଭିତ୍ତିକ ‘ହଟ୍ ସ୍ପଟ୍’ ରହିଛି । ପ୍ରାୟ ୭,୫୦୦ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ସହ ହିମାଳୟ ଯାଏ ବ୍ୟାପ୍ତ ଉତ୍ତର ଏବଂ ପୂର୍ବାଞ୍ଚଳ ଭାରତର ଅନେକ ରାଜ୍ୟ ୫୪% ଶୁଷ୍କ ଅଞ୍ଚଳ ରହିଛି ।
ଯାହାକି ଗ୍ରୀଷ୍ମ ପ୍ରବାହର ଶିକାର ହେଉଥିବାର ନଜିର ରହିଛି । ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଭାରତ ଉପରେ ଗ୍ରୀଷ୍ମ ପ୍ରବାହର କୁ-ପ୍ରଭାବ ପଡ଼ିବା ସହ ପରିସ୍ଥିତି ଆହୁରି ବିଗିଡ଼ିିବାର ଆଶଙ୍କା ରହିଛି । ଫଳତଃ, ୨୦୩୬ରୁ ୨୦୬୫ ମଧ୍ୟରେ ଭାରତରେ ଗ୍ରୀଷ୍ମ ପ୍ରବାହ ୨୫ ଗୁଣ ଦୀର୍ଘତର ହେବ । ମାତ୍ରାଧିକ ଉତ୍ତାପ ଯୋଗୁଁ ୨୦୫୦ ବେଳକୁ ଶ୍ରମିକଙ୍କର ଜୀବିକା ମଧ୍ୟ ପ୍ରଭାବିତ ହେବ । କୃଷି ପାଇଁ ୨୯% ଅଧିକ ଜଳ ଆବଶ୍ୟକ ପଡ଼ିବ ଏବଂ ୨୦୩୬ରୁ ୨୦୬୫ ମଧ୍ୟରେ ବହୁବାର ମରୁଡ଼ି ଦେଖାଦେବ ।
ମାଛମରା ମଧ୍ୟ ୮.୮% ହ୍ରାସ ପାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ଏହାଛଡ଼ା ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରୁ ତାପମାତ୍ରା ବୃଦ୍ଧି ଘଟୁଛି ବୋଲି ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ‘ଜି ୨୦’ ସଦସ୍ୟ ରାଷ୍ଟ୍ର ଉପରେ ବିଧ୍ୱସ୍ତକାରୀ ପ୍ରଭାବ ପକାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି । ଏଥିଯୋଗୁଁ ପ୍ରଭାବିତ ହେବାକୁ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଉପରେ ସବୁଠୁ ଅଧିକ କୁ-ପ୍ରଭାବ ପଡ଼ିବ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି ।