ଭୁବନେଶ୍ୱର: ବଦଳୁଛି ରାଜଧାନୀ ଭୁବନେଶ୍ୱରର ଚେହେରା । ବଦଳୁଛି ବିଭିନ୍ନ ଯୋଜନାର ରୂପରେଖ, ସମୟାନୁକ୍ରମେ ଅତ୍ୟାଧୁନିକ ହେଉଛି ବ୍ୟବସ୍ଥା । ଏହିକ୍ରମରେ ରାଜଧାନୀ ଭୁବନେଶ୍ୱରରେ ଥିବା ମାଛ ମାର୍କେଟକୁ ଏବେ ବ୍ୟବସ୍ଥିତ କରାଯିବ । ରାଜଧାନୀରେ ଥିବା ମାଛ ମାର୍କେଟ୍ଗୁଡ଼ିକୁ ସବୁଠାରୁ ପୂତିଗନ୍ଧମୟ ପରିବେଶ ଭାବେ ପରିଗଣିତ କରାଯାଏ । ପର୍ଯ୍ୟାୟକ୍ରମେ ରାଜଧାନୀ ଭୁବନେଶ୍ୱରର ମୋଟ ୬ ମାଛ ମାର୍କେଟର ଉନ୍ନତିକରଣ କରାଯିବା ସହ ସେଠାରେ ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ବିଏମ୍ସି ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀଙ୍କ ସୂଚନା ମୂତବାକ, ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ବିଏମ୍ସିକୁ ଏନେଇ ଚିଠି କରାଯାଇଛି । ଉକ୍ତ ଚିଠିରେ ଡମଣା, ନିଳାଦ୍ରୀବିହାର, ଭିଏସ୍ଏସ୍ ନଗର, ପଳାଶୁଣୀ, ବଡ଼ଗଡ଼ ଓ ୟୁନିଟ୍ ୪ ମାଛ ମାର୍କେଟର ପୁନରୁଦ୍ଧାର କରାଯିବା ସହ ସେଗୁଡ଼ିକୁ ଅତ୍ୟାଧୁନିକ ଢ଼ାଞ୍ଚା ଦିଆଯିବ ।
ଯାହାଫଳରେ ସେଠାରେ ଗନ୍ଧମୟ ପରିବେଶ ଦୂର ହୋଇପାରିବ ବୋଲି ଶ୍ରୀ ସେଠୀ କହିଛନ୍ତି । ସୂଚନା ମୂତାବକ, ମାଛ ମାର୍କେଟରେ ହୋଲ୍ସେଲ୍ ଓ ରିଟେଲ୍ ବ୍ୟବସାୟକୁ ପୃଥକ କରାଯିବ । ବଡ଼ଗଡ଼, ପଳାଶୁଣୀ ଓ ୟୁନିଟ୍ ୪ରେ ହୋଲ୍ସେଲ୍ ମାର୍କେଟ ରଖାଯିବ । ଏହାବ୍ୟତୀତ ଅନ୍ୟ ସବୁଠି ରିଟେଲ୍ ପଏଣ୍ଟ ରଖାଯିବ । ଯାହାଦ୍ୱାରା ମାର୍କେଟରେ ଭିଡ଼ କମିବା ସହ ବ୍ୟବସାୟ ପ୍ରକ୍ରିୟା ସୁଗମ ହୋଇପାରିବ । ୟୁନିଟ୍ ୪ ମାଛ ମାର୍କେଟରେ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ, ଯାହାକି ଶୀତତାପ ନିୟନ୍ତ୍ରିତ ହେବ । ସେହିପରି ପଳାଶୁଣୀଠାରେ ନିର୍ମାଣ ହେବାକୁ ଥିବା ମାଛ ମାର୍କେଟ ପାଇଁ ପୁରୀ ବାଇପାସ୍ ନିକଟରେ ୧୦ ହଜାର ବର୍ଗଫୁଟ୍ର ଏକ ସ୍ଥାନ ଚିହ୍ନଟ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ସହ ଆଲୋଚନା ପରେ ସେଠାରେ କୋଠା ନିର୍ମାଣ ଆରମ୍ଭ ହେବ ।
ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ବିଏମ୍ସିର ମିଳିତ ସହଯୋଗରେ ଆଗାମୀ ଦିନରେ ଏହି କୋଠା ନିର୍ମାଣ ହେବ ବୋଲି ବିଏମ୍ସି ସୂତ୍ରରୁ ପ୍ରକାଶ ପାଇଛି । ଏଯାବତ୍ ମତ୍ସ୍ୟ ନିର୍ଦ୍ଦେଶାଳୟ ଚିଠିକୁ ଆଧାର କରି ବିଏମ୍ସି ମାଛ ମାର୍କେଟ ପାଇଁ ସ୍ଥାନ ଓ ବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି। ପ୍ରାଥମିକ ପର୍ଯ୍ୟାୟରେ ୩ଟି ମାଛ ମାର୍କେଟ୍ ଖୋଲିବାକୁ ସ୍ଥିର ହୋଇଛି । ପରେ ଆବଶ୍ୟକତାକୁ ଆଖି ଆଗରେ ରଖି ଅଧିକ ଖୋଲାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ଏହି ବଜାରର ନିର୍ମାଣ ପାଇଁ ସମସ୍ତ ଖର୍ଚ୍ଚ ମତ୍ସ୍ୟ ନିର୍ଦ୍ଦେଶାଳୟ ବହନ କରିବ । ବିଏମ୍ସି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ନିଷ୍ପତ୍ତି ହୋଇଛି । ନୂଆ ବଜାର ପାଇଁ ପଳାଶୁଣୀ, ବଡ଼ଗଡ଼ ଓ ୟୁନିଟ୍-୪ ଅଞ୍ଚଳରେ ଜାଗା ଚିହ୍ନଟ ହୋଇଛି । ଗୋଟିଏ ବଜାରରେ ଶହେରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବସିବା ଭଳି ଯୋଜନା ରହିଛି ।
ସେହିଭଳି ପୁରୁଣା ବଜାରଗୁଡ଼ିକର ଉନ୍ନତୀକରଣ ପାଇଁ ସ୍ଥିର ହୋଇଛି । ନୂଆ ବଜାର ତିଆରି ହେବା ପୂର୍ବରୁ ଏହି ପୁରୁଣା ବଜାରରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବାକୁ ସ୍ଥିର କରାଯାଇଛି । ପୁରୁଣା ବଜାରରେ ନିରବଚ୍ଛିନ୍ନ ପାଣି ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା, ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା, ଗ୍ରାହକ ଚଲାବୁଲା କରିବା ପାଇଁ ଉପଯୁକ୍ତ ଜାଗା ପାଇଁ ବ୍ୟବସ୍ଥା ହେବ । ବେପାରୀମାନେ ବଜାର ଛାଡ଼ି ଯେଭଳି ଗଛମୂଳେ, ରାସ୍ତା କଡ଼ରେ, ଜନବସତି ପାଖରେ ନ ବସିବେ, ସେଥିପାଇଁ ବିଏମ୍ସି ନଜର ରଖିବ । ସେଭଳି କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।