ଭୁବନେଶ୍ୱର: କରୋନା ଜନସାଧାରଣଙ୍କଠାରୁ ପାର୍ବଣର ଖୁସି ଛଡ଼େଇ ନେଇଛି । ନାନା କଟକଣାରେ ମା’ ମାହାମାୟା ଧରାବତରଣ କରିଛନ୍ତି । ମା’ଙ୍କ ଆଗମନରେ ପୂର୍ବ ବର୍ଷଗୁଡ଼ିକ ପରି ଚଳିତବର୍ଷ ଶ୍ରଦ୍ଧାଳୁମାନେ ମା’ ଆଗମନ ପାଇଁ ନବରାତ୍ରୀ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ବିନା ଅନୁମତିରେ ନବରାତ୍ରୀ ପାଳନ ତଥା ଦାଣ୍ଡିଆ ନାଚ ଆୟୋଜନ ଏବେ ଆୟୋଜକଙ୍କୁ ମହଙ୍ଗା ପଡ଼ଛି । ବିନା ଅନୁମତିରେ ଡିଜେ ନାଇଟ କାର୍ଯ୍ୟକ୍ରମ ଆୟୋଜନ କରିବାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ନାଇନ୍ଥ ଷ୍ଟ୍ରିଟ୍ ରେଷ୍ଟୁରାଣ୍ଟର ସମ୍ମିଳନୀ କକ୍ଷକୁ ସିଲ୍ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ଏହି ସିଲ୍ କାର୍ଯ୍ୟକୁ ହାତକୁ ନିଆଯାଇଛି । ବିନା ଅନୁମତିରେ ଡିଜେ ଓ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକ ସୋସିଆଲ ମିଡିଆରେ ୬୪୯ ଟଙ୍କା ମୂଲ୍ୟର ଟିକେଟ ବିକ୍ରି କରିଥିଲେ । ୧୩ ଓ ୧୪ ଦୁଇଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । ତେବେ କାର୍ଯ୍ୟକ୍ରମ ପୂର୍ବରୁ ବିଏମ୍ସି ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଏମସି କମିଶନର ସଞ୍ଜୟ ସିଂଙ୍କ ନିର୍ଦ୍ଦେଶ ତଥା ଦକ୍ଷିଣ ପୂର୍ବ ଜୋନାଲ ଡ଼େପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଘଟଣାସ୍ଥଳରେ ଚଢାଉ କରିବା ସହ ହଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ କରିଛନ୍ତି ।