ବୃଦ୍ଧଙ୍କୁ ଧକ୍କା ଦେଲେ, ବନ୍ଧୁକ ଦେଖାଇ ଖସିଗଲେ

ଭୁବନେଶ୍ୱର:  ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । କଥାକଥାକେ ଗୁଳି ଫୁଟୁଥିବାବେଳେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଆତଙ୍କ ଖେଳାଉଛନ୍ତି । ବୁଧବାର ସନ୍ଧ୍ୟାରେ ଏଭଳି ଏକ ଘଟଣା ଭରତପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଆମ୍ରି ହସ୍ପିଟାଲ ରାସ୍ତାରେ ଶରଧାପଲ୍ଲୀବସ୍ତିର ରାଜକିଶୋର ମହାନ୍ତି ନାମକ ଜଣେ ବୃଦ୍ଧ ସାଇକେଲ୍‌ରେ ଯାଉଥିଲେ । ଏତିକିବେଳେ ତାଙ୍କ ପଛରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସୁଥିଲେ । ସେମାନେ ରାଜକିଶୋରଙ୍କ ସାଇକେଲକୁ ଧକ୍କା ଦେଇଥିଲେ ।

ଯାହାଫଳରେ ସେ ତଳେ ପଡ଼ିଯାଇ ଆହତ ହୋଇଥିଲେ । ଯୁବକଦ୍ୱୟ ତାଙ୍କୁ ବଞ୍ଚାଇବା ବଦଳରେ ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ । ଏହାଦେଖି ପଥଚାରୀମାନେ ରାଜକିଶୋରଙ୍କୁ ଉଦ୍ଧାର କରିବା ସହ ଯୁବକଦ୍ୱୟଙ୍କୁ ଅଟକାଇଥିଲେ । ହେଲେ ଦୁଇଜଣଙ୍କ ମଧ୍ୟରୁ ଜଣେ ଯୁବକ ଏକ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଇଥିଲେ । ଯାହାଫଳରେ ଉପସ୍ଥିତ ଲୋକମାନେ ଡରିଯାଇଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣକ ସେଠାରୁ ଖସିଯାଇଛି । ହେଲେ ଅନ୍ୟଜଣେ ଯୁବକକୁ ଲୋକମାନେ କାବୁ କରି ପୁଲିସ ଜିମାରେ ଦେଇଛନ୍ତି। ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଥିବା ଭରତପୁର ଥାନା ଏସ୍‌ଆଇ ମଧୁସ୍ମିତା କର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here