ନୂଆଦିଲ୍ଲୀ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମସ୍ତ ଘଟଣାକୁ ସିବିଆଇ ଯାଞ୍ଚ କରୁ ବୋଲି ଦାବି କରିଥିଲେ । ଅନ୍ୟପଟେ କିଛି ଦିନ ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ୨୫ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିଥିବାର କଥା ସାମ୍ନାକୁ ଆସିଛି । ତେବେ ଏଥିରେ କେତେ ମାତ୍ରାରେ ସତ୍ୟତା ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ସାକ୍ଷୀ ମହାରାଜ କହିଛନ୍ତି । ଏହା ସହ କେବଳ ସିବିଆଇ ହିଁ ସମସ୍ତ ଘଟଣାର ଯାଞ୍ଚ କରି ସତ୍ୟକୁ ସାମ୍ନାକୁ ଆଣିବ ବୋଲି ସାକ୍ଷୀ ମହାରାଜ ସ୍ପଷ୍ଟ କରିଛନ୍ତି । ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ଯେତିକି ଦିନ ବିତୁଛି ସେତିକି ସନ୍ଦେହ ବଢି ବଢି ଚାଲିଛି । ଏବେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ଯାଂଚ କରୁଛି ସିବିଆଇ । ଘଟଣାର ତଦନ୍ତ ପାଇଁ ସିବିଆଇ ଟିମ୍ ପ୍ରୟାଗରାଜରେ ବାଘମ୍ବରି ମଠରେ ପହଁଚି ଚଲାଇଛି ତଦନ୍ତ । ସୋମବାର ବାଘମ୍ବରି ମଠରୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ ।