କାବୁଲ: ଆଫଗାନିସ୍ତାନରେ ଗଣମାଧ୍ୟମ (ମିଡିଆ)ର ସ୍ୱାଧୀନତା ଉପରେ ଅଧିକ ଅଙ୍କୁଶ ଲଗାଇବାକୁ ତାଲିବାନ ପକ୍ଷରୁ ୧୧ ସୂତ୍ରୀ କଟକଣା ଜାରି କରାଯାଇଛି । ଏଗୁଡିକ ମଧ୍ୟରେ ମୁଖ୍ୟତଃ ଇସଲାମ ଧର୍ମକୁ ବିରୋଧ କରୁଥିବା କୌଣସି ସମ୍ବାଦ କିମ୍ବା ଆଲେଖ୍ୟ ଛାପିବାକୁ ମନା କରାଯାଇଛି । ସରକାରୀ ମିଡିଆ ହାଉସ ସହ ସମନ୍ୱୟ ରକ୍ଷାକରି ସମ୍ବାଦ ପରିବେଷଣ କରିବାକୁ ମଧ୍ୟ ତାଗିଦ କରାଯାଇଛି । ଅଗଷ୍ଟ ୧୫ରୁ ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲ ସମେତ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ଅକ୍ତିଆର କରିବା ପରଠାରୁ ସେଠଳାରେ ସକ୍ରିୟ ଥିବା ୧୫୦ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇସାରିଲାଣି ।
ତାଲିବାନ ଦୌରାତ୍ମ ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହୋଇପଡୁଥିବାରୁ ସେମାନେ ବାଧ୍ୟହୋଇ କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗଣମାଧ୍ୟମର ସ୍ୱାଧୀନତାକୁ ବାରମ୍ବାର କ୍ଷୁଣ୍ଣ କରାଯାଉଥିବାରୁ ସାମ୍ବାଦିକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଦେଶର ଅଧିକାଂଶ ପ୍ରମୁଖ ସମ୍ବାଦପତ୍ରର ପ୍ରକାଶନ ବନ୍ଦ ହୋଇଥିବାବେଳେ କେବଳ ଅନ୍ଲାଇନରେ ପ୍ରସାର ଜାରି ରହିଛି। ମାନବାଧିକାର ମୂଲ୍ୟବୋଧକୁ ସମ୍ମାନ ଜଣାଇବାକୁ ପ୍ରତିଶ୍ରୁତି ଦେଉଥିବା ତାଲିବାନ କାର୍ଯ୍ୟରେ କିନ୍ତୁ ଓଲଟା ବ୍ୟବହାର କରୁଛି ।
ତାଲିବାନଙ୍କ ବିରୋଧରେ ସମ୍ବାଦ ପ୍ରକାଶ କରୁଥିବା ସାମ୍ବାଦିକଙ୍କୁ ନିର୍ଯାତନା ବର୍ତ୍ତମାନ ସ୍ୱାଭାବିକ ଘଟଣାରେ ପରିଣତ ହୋଇଗଲାଣି । ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଘରୋଇ ଟିଭି ଚାନେଲ । ସ୍ପର୍ଶକାତର ସମ୍ବାଦ ପ୍ରସାରଣଠାରୁ ଆରମ୍ଭ କରି ରାଜନୈତିକ ବିତର୍କ, ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ, ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ନାଟକ ଇତ୍ୟାଦି ଉପରେ ପ୍ରବଳ କଟକଣା ଜାରି କରାଯାଇଛି। କେବଳ ଅଫ୍ଗାନ ମିଡିଆ କାହିଁକି, ଆନ୍ତର୍ଜାତିକ ମିଡିଆଗୁଡିକ ମଧ୍ୟ ତାଲିବାନ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡିଲେଣି । ଏପରିକି କାବୁଲରେ ପୂର୍ବରୁ କାର୍ଯ୍ୟରତ ଥିବା ପ୍ରାୟ ୮୦୦ ମହିଳା ସାମ୍ବାଦିକଙ୍କ ମଧ୍ୟରୁ ବର୍ତ୍ତମାନ କେବଳ ୧୫୦ ଜଣ ଆତଙ୍କିତ ଅବସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡିଛି ।