ନୂଆଦିଲ୍ଲୀ: ଭାରତରେ ପିଲାଙ୍କ (୧୮ ବର୍ଷରୁ କମ) କୋଭିଡ୍ ଟିକାକରଣ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୯ ମାସ ସମୟ ଲାଗିବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି । ତେଣୁ ଏତେଦିନ ଧରି ସ୍କୁଲଗୁଡିକୁ ବନ୍ଦ ରଖିବା ଅନୁଚିତ ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମାର୍କେଟକୁ ପିଲାଙ୍କ ଟିକା ଆସିନାହିଁ । ଆସନ୍ତା ଅକ୍ଟୋବର ବେଳକୁ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି । ଯଦି ଏହି ଆକଳନ ସତ ପ୍ରମାଣିତ ହୁଏ, ତେବେ ପିଲାଙ୍କ ଟିକାକରଣ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୯ ମାସ (ଅର୍ଥାତ ୨୦୨୨ ଜୁନ୍ ପର୍ଯ୍ୟନ୍ତ) ସମୟ ଲାଗିବ ବୋଲି ଡାଃ ଗୁଲେରିଆ କହିଛନ୍ତି । ସ୍କୁଲରେ ଶିକ୍ଷକଙ୍କ ସହ ମୁହାଁମୁହିଁ ନହେବା ପର୍ଯ୍ୟନ୍ତ ପିଲାମାନେ ଭଲଭାବେ ପାଠ ପଢିପାରିବେ ନାହିଁ । ତେଣୁ ଯଥାଶୀଘ୍ର ସ୍କୁଲ ଖୋଲିବା ଉଚିତ ବୋଲି ଡାଃ ଗୁଲେରିଆ ଯୁକ୍ତି ଦର୍ଶାଇଛନ୍ତି । ଡାଃ ଗୁଲେରିଆଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇଛନ୍ତି ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାଃ ନରେଶ ତ୍ରେହାନ ।