27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବାୟୁ ପ୍ରଦୂଷଣ ସମ୍ପର୍କରେ ଆମେରିକୀୟ ସଂସ୍ଥାର ରିପୋର୍ଟ : ଭାରତୀୟଙ୍କ ହାରାହାରି ଆୟୂ ୪୦% ହ୍ରାସ...

ବାୟୁ ପ୍ରଦୂଷଣ ସମ୍ପର୍କରେ ଆମେରିକୀୟ ସଂସ୍ଥାର ରିପୋର୍ଟ : ଭାରତୀୟଙ୍କ ହାରାହାରି ଆୟୂ ୪୦% ହ୍ରାସ ପାଇବ

ନୂଆଦିଲ୍ଲୀ:  ବାୟୁ ପ୍ରଦୂଷଣ କାରଣରୁ ଆଗାମୀ ଦିନରେ ଭାରତୀୟଙ୍କ ହାରାହାରି ଆୟୂ ୪୦ ପ୍ରତିଶତ ହ୍ରାସ ପାଇବ ବୋଲି ଆମେରିକୀୟ ସଂସ୍ଥା ଏନର୍ଜି ପଲିସୀ ଇନ୍‌ଷ୍ଟିଚ୍ୟୁଟ୍ ସିକାଗୋ (ଏପିକ୍‌) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅର୍ଥାତ କେବଳ ଏହି କାରଣରୁ ଭାରତୀୟ ହାରାହାରି ଆୟୂ ୯ ବର୍ଷ କମିଯିବ ବୋଲି ସିକାଗୋସ୍ଥିତ ଏହି ସଂସ୍ଥା ଆଶଙ୍କା ପ୍ରକାଶ କରିଛି । ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର, ପୂର୍ବ ଓ କେନ୍ଦ୍ର ଭାରତରେ ବସବାସ କରୁଥିବା ଲୋକଙ୍କ ଉପରେ ଏହାର ସବୁଠାରୁ କୁପ୍ରଭାବ ପଡିବ ବୋଲି କୁହାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତର ଅଧିକାଂଶ ସ୍ଥାନ ବାୟୁ ପ୍ରଦୂଷଣ ପରିସର ମଧ୍ୟକୁ ଚାଲିଆସୁଥିବା ଲକ୍ଷ୍ୟ କରାଯାଇଛି ।

ଉଦାହରଣ ସ୍ୱରୂପ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ପ୍ରଦୂଷଣ ମାତ୍ର ହ୍ରାସ କରିବାକୁ ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନ୍‌ସିଏପି (ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ) ହାତକୁ ନିଆଯାଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଏହା ସୁଫଳ ଦେଉଛି ବୋଲି ଉକ୍ତ ସଂଗଠନ ପକ୍ଷରୁ କୁହାଯାଇଛି । ୨୦୨୪ ସୁଦ୍ଧା ଭାରତର ୧୦୨ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ୨୦ରୁ ୩୦ ପ୍ରତିଶତ ହ୍ରାସ କରିବାକୁ ଏନ୍‌ସିଏପି ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଯାନବାହନ ଓ କଳ କାରଖାନା ଯୋଗୁଁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ନିମନ୍ତେ ସରକାର କଡା ନିୟମ ଓ କଟକଣା ଜାରି କରିଛନ୍ତି । ଏହି ନିୟମର କାର୍ଯ୍ୟକାରିତା ଉପରେ ମଧ୍ୟ କଡା ନଜର ରଖାଯାଇଛି । ସ୍ୱିଜରଲାଣ୍ଡ ସଂସ୍ଥା ଆଇକ୍ୟୁଏୟାର ସଂଗଠନର ରିପୋର୍ଟ ଅନୁଯାୟୀ ୨୦୨୦ରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀର ମାନ୍ୟତା ପାଇଥିଲା ।

ଗତବର୍ଷ କରୋନା ଯୋଗୁଁ ଲକ୍‌ଡାଉନ/ସଟ୍‌ଡାଉନ କଟକଣା ଜାରି କରାଯାଇଥିବାରୁ ଦିଲ୍ଲୀର ୨ କୋଟି ବାସିନ୍ଦା ସ୍ୱଚ୍ଛ ପବନ ପାଇପାରିଥିବା ଜଣାପଡିଛି । ତେବେ ଡିସେମ୍ବରରେ ପଞ୍ଜାବ ଓ ହରିୟାଣାରେ ବ୍ୟାପକ ଶସ୍ୟପୋଡି ଯୋଗୁଁ ଦିଲ୍ଲୀ ଆକାଶ ପୁଣି ଧୂଆଁରେ ଆଚ୍ଛନ୍ନ ହୋଇପଡିଥିଲା । ଫଳରେ ଦିଲ୍ଲୀ ବାୟୁମଣ୍ଡଳ ପୁଣି ପୂର୍ବସ୍ଥିତିକୁ ଫେରିଆସିଥିଲା । ଅପରପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଠିକ୍‌ଠାକ୍ ପାଳନ କରିପାରିଲେ ଭାରତର ପଡୋଶୀ ବାଂଲାଦେଶରେ ଲୋକଙ୍କ ହାରାହାରି ଆୟୁ ୫.୪ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଏପିକ୍ ସଂସ୍ଥା ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking