କାବୁଲ: ତାଲିବାନ ଆତଙ୍କବାଦୀଙ୍କ ଭୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ଇତିମଧ୍ୟରେ ଦେଶ ଛାଡି ଓମାନରେ ଆଶ୍ରୟ ନେଇଛନ୍ତି । ଏଥିପାଇଁ ଦେଶବିଦେଶରେ ତାଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । ତେବେ ତାଙ୍କ ଭାଇ ହସ୍ମତ ଘନି ଅହମ୍ମଦଜାଇ ତାଲିବାନ ସଂଗଠନକୁ ଦୃଢ ସମର୍ଥନ ଜଣାଉଥିବା ଲକ୍ଷ୍ୟ କରାଯାଇଛି । ହସ୍ମତ୍ ବର୍ତ୍ତମାନ ଗ୍ରାଣ୍ଡ କାଉନସିଲ ଅଫ୍ କୁଚିସ୍ର ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି । ଶୁକ୍ରବାର ତାଲିବାନ ନେତା ଖଲିଲ-ଉର-ରେହମାନ ଓ ମୁଫ୍ତି ମେହମୁଦ ଜାକିରଙ୍କ ଉପସ୍ଥିତିରେ ହସ୍ମତ୍ ତାଲିବାନ ପ୍ରତି ଆନୁଗତ୍ୟ ରଖିଥିବା ସମ୍ପର୍କରେ ଘୋଷଣା କରିଥିବା ଜଣାପଡିଛି ।
ତାଲିବାନ ନେତାଙ୍କ ସହ ହସ୍ମତ୍ଙ୍କ ବୈଠକର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଗତ ରବିବାର ତାଲିବାନ ଆତଙ୍କବାଦୀ ରାଜଧାନୀ କାବୁଲ ଅକ୍ତିଆର କରିବା ପୂର୍ବରୁ ରାଷ୍ଟ୍ରପତି ଘନି ବିପୁଳ ଧନସମ୍ପତ୍ତି ସହ ଓମାନ ପଳାଇ ଯାଇଛନ୍ତି । ସଙ୍କଟ ସମୟରେ ଦେଶବାସୀଙ୍କୁ ବିପଦରେ ପକାଇ ତାଙ୍କର ପଳାୟନକୁ ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରନେତା ନିନ୍ଦା କରିଥିବାବେଳେ ଆଫଗାନବାସୀ ମଧ୍ୟ ଏକଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଅପରପକ୍ଷରେ ଘନି ସଫେଇ ଦେବାକୁ ଯାଇ କହିଛନ୍ତି ଯେ ଆଫଗାନିସ୍ତାନରେ ଅଧିକ ରକ୍ତପାତ ଚାହୁଁନଥିବାରୁ ସେ ବିଦେଶ ପଳାଇ ଆସିବାକୁ ଉଚିତ ମଣିଛନ୍ତି ।