କାବୁଲ : ନିଜ ପଦରୁ ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଅସରଫ୍ ଇସ୍ତଫା ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କହିବାକୁ ଗଲେ, ଆଫଗାନିସ୍ତାନ ଉପରେ ସାରା ବିଶ୍ୱର ନଜର ରହିଥିଲା। ଗୋଟିଏ ପରେ ଗୋଟିଏ ସହରକୁ ତାଲିବାନ ନିଜ କବ୍ଜାକୁ ନେଇଥିଲା ତାଲିବାନ୍। ଆଉ ଏହାରି ମଧ୍ୟରେ ଆଜି କାବୁଲକୁ ନିଜ ଅକ୍ତିଆର୍କୁ ନେଇଥିଲା ତାଲିବାନ। ତାଲିବାନ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। ତାଲିବାନ ସେନା ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ସରକାରୀ ଅଫିସ୍ ମୁହାଁ ହୋଇଥିବା ନେଇ ଖବର ମିଳିଛି । ଅନ୍ୟପକ୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି । ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । ସେପଟେ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ ।ସୂଚନାଯୋଗ୍ୟ ଯେ, ଏବେ ବି ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । ଏହା ସହିତ ସହରକୁ ଯାଇଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ସହର ଭିତରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ତାଲିବାନ ମୁଖପାତ୍ର ସୁହେଲ ସାହିନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତରଣ ଉପରେ ସଂଗଠନ ଗୁରୁତ୍ବ ଦେଉଛି । କାବୁଲକୁ ବଳପୂର୍ବକ ଦଖଲ କରିବାକୁ ତାଲିବାନ ଚାହେଁନାହିଁ ।