ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ମହିଳା ବିଚ୍ ରାସ୍ତାରେ ହଙ୍ଗାମା କରିବା ଓ କ୍ୟାବ୍ ଡ୍ରାଇଭରକୁ ମାରପିଟ ପରେ ଦ୍ୱିତୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ହାଇ ଭୋଲଟେଜ ଡ୍ରାମା କରିବା ସହ ପୋଲିସକୁ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଉତ୍ତରପ୍ରଦେଶର ନୈନିତାଲରୁ ଆସିଛି, ଯେଉଁଠାରେ ବୁଲିବାକୁ ଆସିଥିବା ଜଣେ ମହିଳା ସେଠାକାର ଲେଡି ଏସଆଇଙ୍କ ସହ ଝଗଡା କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ମହିଳା ଏବଂ ତାଙ୍କ ସହଯୋଗୀମାନେ ମଧ୍ୟ ପୋଲିସ କର୍ମୀଙ୍କୁ ସେମାନଙ୍କ ୟୁନିଫର୍ମ କାଢ଼ି ଦେବାକୁ ଧମକ ଦେଇଥିଲେ । ତେବେ ନୈନିତାଲର ତଲ୍ଲିତାଲରେ ପୋଲିସ ନିୟମିତ ଯାଞ୍ଚ କରୁଥିଲା ଏବଂ ସେହିି ସମୟରେ ହିମାଚଳ ନମ୍ବରର ଏକ କାର ସେଠାରେ ପହଞ୍ଚିଥିଲା, ଯାହାର ଗ୍ଲାସରେ ବ୍ଲାକ ଫିଲ୍ମ ଲାଗିଥିଲା । ଏହା ପରେ ଡ୍ୟୁଟିରେ ଥିବା ଲେଡି ପୋଲିସ୍ ସବ୍-ଇନ୍ସପେକ୍ଟର ବା ଏସଆଇ ରାଜକୁମାରୀ ସିଙ୍ଘାନିଆ କାରକୁ ଅଟକାଇ ଏହାକୁ ହଟାଇବାକୁ କହିଥିଲେ । କିନ୍ତୁ ଏଥିରେ କାର ଡ୍ରାଇଭର କ୍ରୋଧିତ ହୋଇ ଲେଡି ପୋଲିସ୍ ସହ ପାଟିତୁଣ୍ଡ କରିବାରେ ଲାଗିଲା ।