ଚକାପାଦ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଫଳରେ ଗତ ଏକ ମାସ ହେଲା ହାତଗୋଡ଼ ବାନ୍ଧି ଘରେ ରଖିଛନ୍ତି ପରିବାର ଲୋକେ ଜଣେ ୨୭ ବର୍ଷର ଯୁବତୀଙ୍କୁ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ଆରାବାକ ପଞ୍ଚାୟତରେ । ପଞ୍ଚାୟତର କାମେରିକିଆ ଗ୍ରାମର ମୃଗୁ ମଲିକଙ୍କ ୨୭ ବର୍ଷର ଝିଅ ଜାନକୀଙ୍କ କ୍ଷେତ୍ରରେ । ମୃଗୁଙ୍କ ତିନୋଟି ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ବଡ଼ ଝିଅ ହେଉଛନ୍ତି ଜାନକୀ । ହେଲେ ଗତ ପ୍ରାୟ ଏକମାସ ହେଲା ଜାନକୀଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଦେଖାଯାଇଛି । ପରିସ୍ଥିତି ଯୋଗୁଁ ହସ ଖୁସିର ପରିବାର ମଧ୍ୟରେ ଦେଖାଯାଇଛି ଦୁଃଖ । ଜାନକୀ ନା କିଛି କରିପାରୁଛନ୍ତି ନା କାମ କରୁଛନ୍ତି । ନିଜେ ମଧ୍ୟ ଭଲରେ ଖାଦ୍ୟ ଖାଉ ନାହାନ୍ତି । କାହାକୁ ନକହି କୁଆଡ଼େ ଚାଲିଯିବା ଭୟ ଯୋଗୁଁ ପରିବାର ଲୋକେ ଗୋଡ଼ହାତ ବାନ୍ଧି ରଖିବାକୁ ବାଧ୍ୟ ହୋଇଛୁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏଭଳି ସ୍ଥଳେ ପ୍ରଶାସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ଜାନକୀଙ୍କ ପ୍ରତି ଦୃଷ୍ଟିଦେଇ ଚିକିତ୍ସା କରିବାରେ ସହଯୋଗ କଲେ ହୁଏତ ଜାନକୀଙ୍କ ସୁସ୍ଥ ହୋଇ ପାରନ୍ତେ ବୋଲି ସେ ପୂର୍ବପରି ସ୍ୱାଭାବିକ ଜୀବନ ଯାପନ କରିପାରନ୍ତେ ବୋଲି ପରିବାର ଲୋକ ଆଶାବ୍ୟକ୍ତ କରିଛନ୍ତି । ଜିଲ୍ଲାପ୍ରଶାସନ ଏଦିଗରେ ମଧ୍ୟ ଦୃଷ୍ଟିଦେବା ଆବଶ୍ୟକ ହୋଇ ପଡ଼ିଛି ।