ଭୁବନେଶ୍ୱର : ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାଙ୍କୁ ମିଳିପାରେ କରୋନା ଟିକା । ଫାର୍ମା କମ୍ପାନୀ ଜାଇଡସ୍ କାଡିଲା ଦ୍ୱାରା ବିକଶିତ ଟିକା ଜାଇକୋଭ୍-ଡି ର ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ସରକାର ୧୨ ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ କରିପାରନ୍ତି । ଏହି ସୂଚନା ଦେଇଛନ୍ତି ଜାତୀୟ ଟିକାକରଣ ପରାମର୍ଶଦାତା କମିଟି ‘ଏନଟାଗି’ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା । ଗୁଜରାଟ ଅହମ୍ମଦାବାଦର ଫାର୍ମା କମ୍ପାନୀ ଜାଇଡସ୍ କାଡିଲା ପକ୍ଷରୁ ଜାଇକୋଭ୍-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଖୁବ୍ଶୀଘ୍ର ଡିସିଜିଆଇ ନିକଟରେ ଆବେଦନ କରାଯାଇପାରେ । ଏହା ଉଭୟ ପ୍ରାପ୍ତ ବୟସ୍କ ଓ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯାଇ ପାରିବ। ତେଣୁ ଏହି ଟିକାକୁ ଅନୁମତି ମିଳିଲେ, ପ୍ରାପ୍ତ ବୟସ୍କଙ୍କ ଟିକାକରଣ ପାଇଁ ଆଉ ଏକ ବିକଳ୍ପ ସୃଷ୍ଟି ହେବ।
ଅନ୍ୟପକ୍ଷେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସୂଚନା ଅନୁସାରେ, ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସେପ୍ଟେମ୍ବର ସୁଦ୍ଧା ଆସିଯିବ ବୋଲି ଆଶା କରାଯାଉଛି । ପିଲାଙ୍କ ପାଇଁ ଫାଇଜର୍ ଟିକା ମଧ୍ୟ ଅନୁମତି ଅପେକ୍ଷାରେ ରହିଛି। ଦେଶ କରୋନାର ୨ୟ ଲହରରୁ ମୁକ୍ତି ପାଇନି। ପୁଣି ମାଡି ଆସିଲାଣି ୩ୟ ଲହରର ଭୟ। ଦେଶରେ କରୋନାର ତୃତୀୟ ଲହରୀ ୬ ରୁ ୮ ମାସ ମଧ୍ୟରେ ଦେଖାଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ତା ପୂର୍ବରୁ ଟିକାକରଣ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ ହୋଇପଡ଼ିଛି।