ପୁରୀ: ଚଳିତ ବର୍ଷ ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନୀତି କରିବେନି ଗଜପତି । ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା ନୀତି କରିବେ ବୋଲି ଜଣାପଡିଛି । ଏନେଇ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ସଚିବ ସୂଚନା ପ୍ରଦାନ କରିଛନ୍ତି ।
ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର କହିଛନ୍ତି। ତେବେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି।