ନକଲି ଔଷଧ: ୩ ଗିରଫ

ଭୁବନେଶ୍ୱର: ନକଲି ଔଷଧ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ମେଡିଲୟଡ ମେଡିକାମେଣ୍ଟ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ସହିତ ୩ ଜଣ ଗିରଫ ହୋଇଛନ୍ତି । ଆଜି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଏନେଇ ସୂଚନା ପ୍ରଦାନ କରିଛନ୍ତି କ୍ରାଇମବ୍ରାଂଚ ଏଡିଜି ଯଶୋବନ୍ତ ଜେଠୱା । ହିମାଚଳର ଏକ ନକଲି କମ୍ପାନୀରୁ ମେଡିଲୟଡ ମେଡିସିନ କିଣିଥିଲା । ନକଲି ଫାଭିପିରାଭିର ଆଣି ବିକ୍ରି ଯୋଜନା କରିଥିଲା ମେଡିଲୟଡ । ୧୦ଟି ଟାବଲେଟକୁ ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି କରୁଥିଲା । ତେବେ ୩ ଜଣ ଗିରଫ ହୋଇଥିଲେ ବି କମ୍ପାନୀ ମୁଖ୍ୟ ଶିବ ଜେନା ଏବେ ମଧ୍ୟ ଫେରାର ରହିଛି ।

ଡ୍ରଗ୍ସ କଣ୍ଟ୍ରୋଲର, ଔଷଧ ନିଗମ ଏବଂ ସ୍ୱାସ୍ଥ୍ୟସେବାର ରାଜ୍ୟ ଓ କ୍ଷେତ୍ରରେ ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବ୍ୟାପକ ନକଲି ଓ ନିମ୍ନମାନର ଔଷଧ କାରବାର ହେଉଥିବା ଘେନି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି । ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ୍‍ ଚଢାଉ କରାଯାଇ ବିପୁଳ ପରିମାଣର ନକଲି କରୋନା ଓ ଅନ୍ୟାନ୍ୟ ଔଷଧ ଏବଂ ମାରାତ୍ମକ କଫସିରପ ଜବତ କରାଯିବାପରେ ଏହି ଘଟଣା ଘେନି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ଔଷଧ ନିଗମ ଯେଉଁସବୁ ସଂସ୍ଥାରୁ ଔଷଧ କିଣୁଛି ସେଥିରୁ ଅନେକ ବାରମ୍ବାର କଳାତାଲିକାଭୁକ୍ତ ହେଉଥିଲେ ବି ପୁଣି ସେମାନେ କିଭଳି ଭିନ୍ନ ନାମରେ କିମ୍ବା ପୂର୍ବନାମରେ ସରକାରଙ୍କୁ ଔଷଧ ଯୋଗାଉଛନ୍ତି ସେଥିଘେନି ପ୍ରଶ୍ନବାଚୀ ଉଠୁଛି । ଗତ ଚାରିବର୍ଷରେ ପାଖପାଖି ୪୦ଟି ଔଷଧ ଯୋଗାଣକାରୀ ସଂସ୍ଥା ନିମ୍ନମାନର କିମ୍ବା ନକଲି ଔଷଧ ଓଡିଶା ସରକାରଙ୍କୁ ଯୋଗାଇ ଧରାପଡିବାପରେ କଳାତାଲିକାଭୁକ୍ତ ହୋଇଛନ୍ତି ।

ଗୁଜୁରାଟ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିଆନା ମହାରାଷ୍ଟ୍ର ସମେତ ବହୁ ରାଜ୍ୟର ଏଭଳି ଅନେକ ସଂସ୍ଥାକୁ ଓଡିଶା କଳାତାଲିକାଭୁକ୍ତ କରିଛି । ମୋଟାମୋଟି ଭାବେ ଔଷଧ ନିଗମ ସ୍ଥାପନ ଠାରୁ ଏଯାବତ୍‍ ପ୍ରାୟ ୭୦ଟି ସଂସ୍ଥା ଏଭଳି କଳା କାରବାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here