ନୂଆଦିଲ୍ଲୀ: ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ହ୍ୱାଇଟ ଫଙ୍ଗସ ପାଇଁ କୋଭିଡ ୧୯ ରୋଗୀଙ୍କ ପୁରା ଅନ୍ତରେ ଛିଦ୍ର ହୋଇଛି । ଡାକ୍ତର ଅନିଲ ଅରୋଡା କହିଛନ୍ତି, କରୋନା ଭାଇରସ ସଂକ୍ରମଣରେ ହ୍ୱାଇଟ ଫଙ୍ଗସ ପାଇଁ ଖାଦ୍ୟ ନଳୀ, ଛୋଟ ଅନ୍ତ ଓ ବଡ ଅନ୍ତରେ ଅନେକ ଛିଦ୍ର ହେବା ଭଳି ମାମଲା କେବେ ବି ସାମ୍ନାକୁ ଆସିନଥିଲା । ୪୯ ବର୍ଷୀୟା ସେହି ମହିଳାଙ୍କ ପେଟରେ ଅଧିକ ଯନ୍ତ୍ରଣା, ବାନ୍ତି ହେଉଥିବା କାରଣରୁ ୧୩ ମେ ରେ ଏସଜୀଆରଏସରେ ଭର୍ତ୍ତି କରାଯାଇଥିଲା । ସ୍ତନ କର୍କଟ ପାଇଁ ଗତବର୍ଷ ଡିସେମ୍ବରରେ ତାଙ୍କ ସ୍ତନ ବାହାର କରାଯାଇଥିଲା ଏବଂ ୪ ସପ୍ତାହ ଯାଏଁ ତାଙ୍କର କିମୋଥେରାପି ହୋଇଥିଲା । ତାଙ୍କ ପେଟର ସିଟି ସ୍କାନ କରାଯିବା ପରେ ଜଣାପଡିଥିଲା, ପେଟରେ ପାଣି ଓ ବାୟୁ ରହିଛି ଯାହା ଅନ୍ତରେ ଛିଦ୍ର ହେବା କାରଣରୁ ହୋଇଥାଏ । ତା ପରଦିନ ଦିନ ସଂପୃକ୍ତ ରୋଗୀଙ୍କର ସର୍ଜରୀ ହୋଇଥିଲା । ସେଥିରେ ଖାଦ୍ୟ ନଳୀର ତଳ ଭାଗରେ ଛିଦ୍ର ହୋଇଥିବା ଜଣାପଡିଥିଲା । ଛୋଟ ଅନ୍ତର ଗୋଟିଏ ଭାଗରେ ଗ୍ୟାଙ୍ଗରିନ ହେବା କାରଣରୁ ସେହି ଅଂଶକୁ ବାହାର କରାଯାଇଥିଲା । ତାଙ୍କ ଶରୀରରେ କୋଭିଡ ୧୯ ର ଆଣ୍ଟିବଡି ସ୍ତର ଅଧିକ ରହିଥିଲା ।