କୁଆଁପାଳ : ମାହାଙ୍ଗା ବ୍ଲକ୍ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାଁରେ ଗୋଟିଏ ପରିବାରରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସାହି ଭାଇ ଶବ ଦାହ ପାଇଁ କାନ୍ଧ ଦେଇନଥିବା ଜଣାପଡ଼ିଛି । ଗ୍ରାମର ବିଶ୍ୱନାଥ ପଲେଇଙ୍କ ସ୍ତ୍ରୀ ଉମା ପଲେଇଙ୍କର ଦେହାନ୍ତ ଘଟିଥିଲା । ଏହି ସମୟରେ ତାଙ୍କର ନାତି ଦିଲ୍ଲୀପ କୋଭିଡ୍ରେ ଆକ୍ରାନ୍ତ ହୋଇ କଟକର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ କରୋନା ଭୟରେ ଉମାଙ୍କର ଶବ ସତ୍କାର ପାଇଁ ସାହି ଭାଇ କେହି ଆସିଲେ ନାହିଁ । ଶେଷରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଡିଓ ନିହାର ରଞ୍ଜନ ମଳ୍ଲିକ, ତହସିଲଦାର ମଧୁସୂଦନ ନାୟକ, ଡାକ୍ତର ସାୟଂ ପ୍ରକାଶ ଦାସ, ଆଇଆଇସି ରଞ୍ଜନ ପ୍ରଧାନ ଏବଂ ବହୁ ସରକାରୀ କର୍ମଚାରୀ ପହଞ୍ôଚ ଉମାଙ୍କର ଶବ ସତ୍କାର କରିଥିଲେ । ଅନ୍ୟପକ୍ଷରେ ଶବ ଦାହବେଳେ ନାତି ଦିଲ୍ଲୀପର ମୃତ୍ୟୁ ହୋଇଥିବା ଖବର ପହଞ୍ôଚଥିଲା । ଏହି ଖବର ଜଣାପଡ଼ିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ଘର ଲୋକ ନେଲେନି, ପ୍ରଶାସନ ଦାହକଲା
ନରାଜ : କରୋନାରେ ମୃତ୍ୟୁ ପରେ କରିବାର ଲୋକେ ପର କରିଦେଲେ । ମେଡିକାଲରେ ଶବ ପଡ଼ିରହିଲା । ଖବର ପାଇ ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ପହଞ୍ôଚ ଶବ ସତ୍କାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି । ବାରଙ୍ଗ ବ୍ଲକ୍ ଅଧୀନରେ ଥିବା ବଡ଼ ଝରିଲୋ ଓ କୁରାଙ୍ଗ ଶାସନ ଅଞ୍ଚଳର ଦୁଇଜଣଙ୍କ ଭୁବନେଶ୍ୱରସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେଠାରୁ ତାଙ୍କର ମୃତ ଶରୀରକୁ ଘରଲୋକ କେହି ନେଇନଥିଲେ । ଶବ ପଡ଼ି ରହିଥିଲେ ମଧ୍ୟ ବନ୍ଧୁ ପରିଜନ କି ଗ୍ରାମବାସୀ କରୋନା ଭୟରେ ପାଖ ମାଡ଼ିନଥିଲେ । ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡା ଶୁଣିବା ମାତ୍ରେ ତାଙ୍କ ନିର୍ଦ୍ଧେଶକ୍ରମେ ବ୍ଲକ୍ର ସାମାଜିକ ସୁରକ୍ଷା ବିଭାଗର କାର୍ଯ୍ୟକ୍ରମ ସହାୟକ ସାରଦା ପ୍ରସନ୍ନ ଦାସ କିଟ୍ ମଗାଇ କଟକ ସତୀ ଚଉରା ଶ୍ମଶାନକୁ ନେଇ ତାଙ୍କର ଶବ ସତ୍କାର କରିଥିଲେ।