କୋରାପୁଟ : ସୁନାବେଡା ହାଲ୍ ଅଞ୍ଚଳରେ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣକ ହାଲର ପୂର୍ବତନ କର୍ମର୍ଚାରୀ ସ୍ୱର୍ଗତ ଆନନ୍ଦ ମଣ୍ଡଳଙ୍କ ପତ୍ନୀ ଶ୍ରାବଣୀ ମଲ୍ଲିକ ବୋଲି ଜଣାପଡିଛି । ତେବେ ଶ୍ରାବଣୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ହୋଇପାରେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରାବଣୀ ନିଜେ ରେକର୍ଡିଂ କରି ଅଡିଓ-ଭିଡିଓ ମାଧ୍ୟମରେ ଦେଇଥିବା କେତେକ ତଥ୍ୟ ସମସ୍ତ ରହସ୍ୟ ଉନ୍ମୋଚନ କରିବ ବୋଲି ଆଲୋଚନା ହେଉଛି । ସୂଚନା ଅନୁଯାୟୀ, ଶ୍ରାବଣୀ କିଛି ବର୍ଷ ପୂର୍ବେ ଆନନ୍ଦ ମଣ୍ଡଳଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ବିବାହକୁ ଆନନ୍ଦଙ୍କ ପରିବାର ଗ୍ରହଣ କରିନଥିଲେ । ଆନନ୍ଦ ଓ କିଛି ହାଲ୍ କର୍ମର୍ଚାରୀଙ୍କ ମଧ୍ୟରେ ଟଙ୍କା ନେଣଦେଣ କାରବାର ଚାଲିଥିଲାବେଳେ ଗତ ଫେବୃଆରୀ ୮ତାରିଖରେ ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ହାଲର କେତେକ କର୍ମଚାରୀ ଶ୍ରାବଣୀକୁ ଟଙ୍କା ପାଇଁ ବାରମ୍ବାର ମାନସିକ ଚାପ ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରାବଣୀ ଏକ ଅଡିଓ-ଭିଡିଓ ଜଣେ ସମ୍ପର୍କୀୟଙ୍କ ନିକଟକୁ ପଠାଇଛନ୍ତି ଯେଉଁଥିରେ ସେ ଆତ୍ମହତ୍ୟା କରିବାର କାରଣ ଓ ଆତ୍ମହତ୍ୟା କରିବା ପଛରେ କେଉଁ ମାନଙ୍କ ଚାପ ରହିଛି ତାହା ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଶ୍ରାବଣୀ ତାଙ୍କ ଶ୍ୱଶୁର ଘର ଲୋକ ଓ ହାଲର କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନାଁ ନେଇ ସେମାନଙ୍କୁ ଦାୟି କରିଛନ୍ତି । ସୁନାବେଡା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତଆରମ୍ଭ କରିଥିବାବେଳେ ଅଡିଓ-ଭିଡିଓରେ ଶ୍ରାବଣୀ ଦୋଷାରୋପ କରିଥିବା ଲୋକଙ୍କୁ ଜେରା କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଲୋଚନା ହେଉଛି ।