ସଇଁନ୍ତଳା : ବଲାଙ୍ଗିର ଜିଲ୍ଲାରେ ସରୁନି ଦାଦନ ଦୁଃଖ । ପୁଣି ଏକ ଦାଦନ ଦୁଃଖ ସାମ୍ନାକୁ ଆସିଛି । ଟଙ୍କା ଅଭାବରୁ ନର୍ସିଂହୋମ୍ରେ ବନ୍ଧାପଡ଼ିଛି ଚୁମ୍କିଙ୍କ ଶବ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରବନ୍ଧ ଗାଁର ପତିପତ୍ନୀ ଚୁମ୍କି ବାଗ ରୋହିତ ବାଗ ଏବଂ ରୋହିତଙ୍କ ମା’ ସହ ହାଇଦ୍ରାବାଦକୁ ଇଟା ଗଢ଼ା କାମ ପାଇଁ ଯାଇଥିଲେ । ଚୁମ୍କି ଗର୍ଭବତୀ ଥିବାରୁ ସେଠାରେ ସ୍ଥାନୀୟ ହସ୍ପିଟାଲରେ ପ୍ରସବ କରାଇବା ପାଇଁ ରୋହିତ ଚାହୁଁଥିଲେ । ଡାକ୍ତର ସିଏସ୍ କରାଇବା ପାଇଁ କହିଥିଲେ । ସେଥିପାଇଁ ସେ ସ୍ତ୍ରୀଙ୍କୁ ନେଇ ମା’ଙ୍କ ସହ ଗାଁକୁ ଫେରୁଥିବା ସମୟରେ ଚୁମ୍କିଙ୍କ ବିଶାଖାପାଟଣା ଠାରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।
ସ୍ୱାମୀ ରୋହିତ ସ୍ଥାନୀୟ କିଙ୍ଗହିସ୍ ନର୍ସିଂହୋମ୍ରେ ସ୍ତ୍ରୀଙ୍କୁ ଭର୍ତ୍ତି କରିଥିଲେ । କିନ୍ତୁ ନର୍ସିଂହୋମ୍ରେ ଚୁମ୍କିଙ୍କ ଜୀବନ ଚାଲିଯାଇଥିଲା । ତେବେ ନର୍ସିଂହୋମ୍ ଚୁମ୍କିଙ୍କ ଶବ ଦେବା ପାଇଁ ୩୫ ହଜାର ଟଙ୍କା ଦାବି କରିଥିବା ବେଳେ ଗରିବ ଦାଦନ ଶ୍ରମିକ ଓ ତାଙ୍କ ମା’ ସେଠାରେ ପଡ଼ି ରହିଥିବା ଯାହା ଜଣାପଡ଼ିଛି । ଯଥାଶୀଘ୍ର ଚୁମ୍କିଙ୍କ ଶବ ମୁରିବାହାଲ୍ ଅଣାଯିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ପାଇଁ ସାଧାରଣରେ ଦାବି ହେଉଛି । ଚୁମ୍କିଙ୍କ ଶବ ତୁରନ୍ତ ଅଣାଯିବାକୁ ପ୍ରଶାସନ ବ୍ୟବସ୍ଥା କରିବା ସହ ରୋହିତଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ବଲାଙ୍ଗିର ଜିଲ୍ଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ମଧ୍ୟ ଦାବି ହୋଇଛି ।