ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୟୁପି ସରକାର ସମସ୍ତ ଜିଲ୍ଲାରେ ଆଜିଠୁ ୧୪୪ ଧାରା ଲଗାଇଛନ୍ତି । ପାଂଚରୁ ଅଧିକ ଲୋକ ଗୋଟିଏ ଜାଗାରେ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି । ପଂଚାୟତ ନିର୍ବାଚନରେ ପ୍ରଚାର ସମୟରେ ବି କୋଭିଡ ପ୍ରୋଟୋକୋଲ କଡାକଡି ଭାବେ ପାଳନ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାର ଡିଏମ ଓ ଏସପିଙ୍କୁ ଚିଠି କରାଯାଇଛି । କୌଣସି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ହୋଇପାରିବେ ନାହିଁ ।
ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଥିପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସ୍ୱାସ୍ଥ ବିଭାଗକୁ ସମସ୍ତ କୋଭିଡ ହସ୍ପିଟାଲରେ ନୋଡାଲ ଅଧିକାରୀ ନିଯୁକ୍ତି ନେଇ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ୪୧୬୪ ମାମଲା ସାମ୍ନାକୁ ଆସିଛି ।
ଲକ୍ଷନଉ, କାନପୁର, ପ୍ରୟାଗରାଜ, ବାରଣାସୀ, ଗାଜିୟାବାଦ ଓ ଗୌତମବୁଦ୍ଧ ନଗର ଭଳି ଜିଲ୍ଲାରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏସଜିପିଜିଆଇ, କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି ଓ ରାମ ମନୋହର ଲୋହିଆ ହସ୍ପିଟାଲରେ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ପାଇଁ ବେଡ ସଂଖ୍ୟା ବୃଦ୍ଧି କରାଯାଉ ।
ଯଦି କୌଣସି ନିୟମକୁ ହାଲକା ଭାବରେ ନିଆଯାଏ କିମ୍ବା କଡାକଡି ଭାବରେ ପାଳନ କରାନଯାଏ, ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ଚେତାବନୀ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅମିତ ମୋହନ କହିଛନ୍ତି, ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ ହେବେ ।